ତେଲ ନ ମିଳିବାରୁ ଟାଙ୍କି ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ନୟାଗଡ଼,ଏନ୍ଏନ୍ଏସ୍: ତେଲ ପକାଇବାକୁ ନେଇ ବଚସା। ପରେ ଦୁର୍ବୃତ୍ତମାନେ ପେଟ୍ରୋଲ ଟାଙ୍କି ଉପରକୁ ପେଟ୍ରୋଲ ବୋମା ମାଡ଼ କରିଥିବା ଜଣାପଡ଼ିଛି। ବୋମା ମାଡ଼ରେ ପେଟ୍ରୋଲ ପମ୍ପର ମେସିନ ଜଳିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୩ଟା ପରେ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ବାନାମ୍ବର ମାଝୀ ଏକ ବୋତଲ ଧରି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ପେଟ୍ରୋଲ ମାଗିଥିଲେ ମଧ୍ୟ ସେମାନେ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ଯୁବକଜଣକ ରାତିରେ ରାସ୍ତାରେ ଛିଡ଼ା ହୋଇ ଏକ ପେଟ୍ରୋଲ ବମ୍‌ ଟାଙ୍କି ଉପରକୁ ପକାଇଥିଲେ। ଫଳରେ ପେଟ୍ରୋଲ ପମ୍ପ ମେସିନଟି ଜଳିଯାଇଛି। ଏନେଇ ପେଟ୍ରୋଲ ପମ୍ପ କର୍ମଚାରୀ ସଙ୍ଗେସଙ୍ଗେ ବାଲି ଓ ଗ୍ୟାସ ସାହାଯ୍ୟରେ ନିଆଁ ଲିଭାଇଥିବା ପେଟ୍ରୋଲ ପମ୍ପ ମ୍ୟାନେଜର କହିଛନ୍ତି।

ଖଣ୍ଡପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଖାନ ତଲାସ ଚଳାଇଛି।