ଭୁତିଆରବାହାଲ ଗାଁ’ରେ ପୋଖରୀରେ ବୁଡିଯାଇ ନାବାଳକ ମୃତ

ବଲାଙ୍ଗୀର,ଏନ୍ଏନ୍ଏସ୍ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ’ ପୋଖରୀରେ ଜଣେ ନାବାଳକ ନିଜ ମା’ଙ୍କ ସାଙ୍ଗରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଏହି ଘଟଣା ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗାଁ’ର ସେବତୀ ନାମ୍ନୀ ଜଣେ ମହିଳା ନିଜର ୫ ବର୍ଷର ପୁଅକୁ ଧରି ମଦଭାଟି ସାମ୍ନାରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ମା’ଲୁଗା ସଫା କରୁଥିବା ବେଳେ ନାବାଳକ ଜଣକ ପାଣି ଭିତରେ ଥିଲେ । ତେବେ ଅସାବଧାନବଶତଃ ନାବାଳକ ଜଣଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ସମ୍ପୁର୍ଣ୍ଣ ଭାବେ ପାଣି ଭିତରକୁ ଚାଲି ଯାଇଥିଲେ । ମା’ ଲୁଗା ସଫା କରିବାରେ ବ୍ୟସ୍ତ ଥିବାରୁ ଏ ସମ୍ପର୍କରେ ହଠାତ ଜାଣି ପାରିନଥିଲେ । ତେବେ କିଛି ସମୟ ପରେ ଖୋଜାଖୋଜି କରିବାରୁ ପାଣି ଭିତରୁ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ।

ଉଦ୍ଧାର କରାଯିବା ପରେ ସତ୍ୟ ନାରାୟଣ ଦଣ୍ଡସେନା ନାମକ ଗାଁ’ର ଜଣେ ଯୁବକ ନାବାଳକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ନାବାଳକଙ୍କ ବାପା ଦାଦାନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଛନ୍ତି । ଲକଡାଉନ ଚାଲିଥିବାରୁ ସେଠାରେ ସେ ଫସି କି ରହି ଯାଇଛନ୍ତି ବୋଲି ପରିବାର ତରଫରୁ କୁହାଯାଇଛି ।