ହତ୍ୟା ସନ୍ଦେହରେ କବରରୁ କାଢ଼ାଗଲା ନାବାଳିକାର ମୃତ ଦେହ, ପୁଲିସର ତଦନ୍ତ ଜାରି

ଭବାନୀପାଟଣା,ଏନ୍ଏନ୍ଏସ୍: ମୃତ୍ୟୁର ୨ ଦିନ ପରେ କବରରୁ ଉଦ୍ଧାର ହେଲା ନାବାଳିକା ସରିତାର ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସିକେରକୁପା ଫାଣ୍ଡି ନିକଟସ୍ଥ ମାଡିବନ୍ଧା ଗ୍ରାମରେ। ନାବାଳିକାକୁ ମାରି ପୋତି ଦେଇଥିବା ସନ୍ଦେହ କରି ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଗାୟତ୍ରୀ ପ୍ରଧାନ, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଶ୍ୱନାଥପୁର ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନୀଙ୍କ ଉପସ୍ଥିତରେ ନାବାଳିକା ସରିତା ବିଶି(୯)ଙ୍କ ଶବକୁ କବରରୁ କଢ଼ାଯାଇଛି।

ସରିତା ଦେଢ଼ ବର୍ଷ ବୟସରେ ବାପା ମା’ ଛେଉଣ୍ଡ ହୋଇଯାଇଥିଲେ। ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ମାଡିବନ୍ଧା ଗାଁର ବୁଡୁ ସୁନା ଆଜିକି ୮ ବର୍ଷ ତଳେ ସରିତାକୁ ବମ୍ବେରୁ ଉଦ୍ଧାର କରି ନିଜ ପାଖରେ ରଖିଥିଲେ। କିଛିଦିନ ପରେ ସେମାନେ ସରିତାକୁ ସାଙ୍ଗରେ ନେଇ ଗାଁକୁ ଫେରିଥିଲା। ବୁଡୁ ସୁନାଙ୍କ ସାବତ ପୁଅ ଚଇତୁ ବିଶିର ତିନି ପୁଅ ଭିତରେ ଝିଅ ନ ଥିବା ଯୋଗୁଁ ସରିତାକୁ ଝିଅ କରିବାକୁ କହିଥିଲା। ଚଇତୁ ଓ ତା ସ୍ତ୍ରୀ ଗାୟତ୍ରୀ ବିଶି ମଧ୍ୟ ରାଜି ହୋଇଥିଲେ। ଗତ ୧୦ ତାରିଖ ଦିନ ସରିତା ବଡ଼ ଭାଇ ଅମର ବିଶି(୧୪) ଓ ତା ଦୁଇ ସାଙ୍ଗ ସହିତ ଜଙ୍ଗଲକୁ କୋଳି ଖାଇବାକୁ ଯାଇଥିଲେ। ପରେ ଜଙ୍ଗଲର ଏକ ଆମ୍ବ ଗଛରୁ ସରିତାର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ନାବାଳିକାର ମୃତ୍ୟୁ ଘଟଣାକୁ ସ୍ୱାଭାବିକ ମୃତ୍ୟୁ ରୂପ ଦେବା ପାଇଁ ଗାଁ ଲୋକଙ୍କ ସହ କଥାହୋଇ ସରିତାକୁ ଝାଡା ବାନ୍ତିରେ ମରିଯାଇଥିବା ଘୋଷଣା କରି ନିକଟସ୍ଥ ମଶାଣିକୁ ନେଇ ଖ୍ରଷ୍ଟିଆନ ସମ୍ପ୍ରଦାୟ ହୋଇ ଥିବାରୁ କବର ଦେଇଥିଲେ। ତେବେ ସରିତାର ମୃତ୍ୟୁ ଖବରପାଇ ଚଇତୁର ମାମୁଁ ପୁଅ ମାହେଶ୍ୱରୀପୁରର ଓକିଲ ସେନାପତି ଏହାକୁ ସ୍ୱାଭାବିକ ମୁତ୍ୟୁ ବୋଲି ଗ୍ରହଣ ନକରି ନବାଳିକାକୁ ହତ୍ୟା ସନ୍ଦେହ କରି ନର୍ଲା ପୁଲିସକୁ ଏକ ଲିଖିତ ଅଭିଯାଗ କରିଥିଲେ। ଓକିଲ ସେନାପତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଓ ତଦନ୍ତ ଚଳାଇଥିବା ନେଇ ଏସଡିପିଓ ଗୁପ୍ତେଶ୍ୱର ଭୋଇ ପ୍ରକାଶ କରିଛନ୍ତି।