ଟ୍ରେନ ଲାଇନରୁ ଡିଏସପିଙ୍କ ସ୍ତ୍ରୀର ମୃତ ଦେହ ଉଦ୍ଧାର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ବ୍ରହ୍ମପୁରର ଗୋପାଳପୁର ଓଭରବ୍ରିଜ ରେଳଧାରଣାରୁ ଡିଏସପିଙ୍କ ସ୍ତ୍ରୀର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ଗଜପତି ଜିଲ୍ଲାର କାର୍ଯ୍ୟରତ ଡିଏସପି ଅନୀଲ କୁମାର ପ୍ରଧାନଙ୍କ ସ୍ତ୍ରୀ ସୁଷମା ପ୍ରଧାନ। ତାଙ୍କ ପୁଅଙ୍କ ସୂଚନା ଅନୁସାରେ ସେ ଗତକାଲି ରାତ୍ରିରେ ମନ୍ଦିରକୁ ଯାଇଥିଲେ ହେଁ ସେଠାରୁ ସେ ଘରକୁ ଫେରିନଥିଲେ। ଏ ନେଇ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା।

ପରେ ଗୋପାଳପୁର ଓଭରବ୍ରିଜ ରେଳଧାରଣା ନିକଟରେ ଏକ ମୃତ ଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ସେଠାକୁ ଯାଇ ମୃତ ଦେହକୁ ଚିହ୍ନଟ କରିଥିଲେ। ସୂଚନା ଅନୁସାରେ ସେ ତାଙ୍କ ସ୍ୱାମୀଙ୍କ ସହ ବୈଦନାଥ ପୁର ଥାନା ଖଡାସିଂରେ ରହୁଥିଲେ। ମୃତ ଦେହ ଜବତ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।