ବୋଟ୍ ଆମ୍ବୁଲାନ୍ସରେ ବୁଲିଲେ ଜିଲ୍ଲାପାଳ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ରବିବାର ଅଚାନକ ଲମତାପୁଟ ବ୍ଲକ୍ ଗସ୍ତକରି ବୋଟ୍ ଆମ୍ବୁଲାନ୍ସ ଯୋଗେ ବିଚ୍ଛିନାଞ୍ଚଳ ଓ ବିଭିନ୍ନ ଘାଟ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ସହକାରୀ ଜିଲ୍ଲାପାଳ ଅର୍ଚ୍ଚନା ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଡିପିଏମ ଶୁଭକାନ୍ତ ଗନ୍ତାୟତ, ଜରୁରୀକାଳୀନ ବିଭାଗ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ପ୍ରକାଶଚନ୍ଦ୍ର ସାମଲ୍ ପ୍ରମୁଖ ବୋଟ୍ ଆମ୍ବୁଲାନ୍ସରେ ବିଚ୍ଛିନାଞ୍ଚଳ ଗସ୍ତ କରିଥିଲେ।

ସୂଚନା ଥାଉକି, ଉପର କୋଲାବ୍ ଜଳଭଣ୍ଡାର ଦ୍ୱାରା ଲମତାପୁଟ ବ୍ଲକର କୁମାର ଗନ୍ଧଣା, ବନମାଳୀପୁଟ, ଟିକରପଡ଼ା, ଉମ୍ବେଲ୍ ଓ ଡାବଗୁଡ଼ା ପଞ୍ଚାୟତର ଅନେକ ଗ୍ରାମ ବିଚ୍ଛିନାଞ୍ଚଳ ପାଲଟିଛି। ଜରୁରୀକାମ କିମ୍ବା ଚିକିତ୍ସା ସେବାପାଇଁ ଅଞ୍ଚଳବାସୀ ଦେଶୀ ଡଙ୍ଗାରେ ଯାତାୟାତ କରି ଅନେକ ସମୟରେ ଦୁର୍ଘଟଣା ଓ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିଲେ। ସିନ୍ଧିପୁଟ ଘାଟରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ପୋଲ ନିର୍ମାଣ ସମୟ ସାପେକ୍ଷ ହୋଇଥିବାରୁ ବର୍ତ୍ତମାନ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ରାଜ୍ୟ ସରକାର ଗୋଟିଏ ବୋଟ୍ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ଗତମାସ ୨୮ରେ କୋରାପୁଟ ବିଧାୟକ ରଘୁରାମ ପଡାଲ୍, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ବୋଟ୍ ଆମ୍ବୁଲାନ୍ସ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଥିଲେ। ରବିବାର ଜିଲ୍ଲାପାଳ ସିନ୍ଧିପୁଟ ଘାଟରେ ପହଞ୍ଚି ଆମ୍ବୁଲାନ୍ସ ତଦାରଖ କରିବାସହ ଆମ୍ବୁଲାନ୍ସ ଯୋଗେ ଦୁର୍ଲା ଏବଂ ମହାଦେଇପୁଟ ନଦୀଘାଟ ମଧ୍ୟ ପରିଦର୍ଶନ କରିଥିଲେ।