ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲିରେ ଉପନିର୍ବାଚନ ପୂର୍ବରୁ ଲଗାତାର ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଜେଡି କର୍ମୀଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିବାର ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପିର ସ୍ୱତନ୍ତ୍ର ପ୍ରତିନିଧି ଦଳ। ଆଗାମୀ ଉପନିର୍ବାଚନରେ ବିଜେଡି ବୁଥ୍ ରିଗିଂ ଓ କ୍ୟାପଚରିଂ ହେବାର ଆଶଙ୍କା ଥିବାରୁ ପିପିଲିରେ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ ଏହି ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଦାବି କରିଛି। ଏଥିସହ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ସିସିଟିଭି ଲଗାଇବା ପାଇଁ ବିଜେପି ଦାବି ରଖିଛି। ଏହି ପ୍ରତିନିଧି ଦଳରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।