ଯୋଡ଼ା ଓ ଛେଣ୍ଡିପଦା ଗସ୍ତରେ ବିଜେପି ଟିମ; ଗ୍ରାଉଣ୍ଡ ଜିରୋର ସ୍ଥିତି ସମୀକ୍ଷା କରିବ ଦଳ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ରାମନବମୀ ଗୋଷ୍ଠୀ ସଂଘର୍ଷ ଏବଂ ଅନୁଗୁଳରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାର ବାସ୍ତବସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ଦୁଇଟି ଟିମ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛି | କେନ୍ଦୁଝର ଜିଲ୍ଳା ରାମନବମୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ଦୋଷୀଙ୍କ ପରିବର୍ତ୍ତେ ନିରୀହ ଲୋକଙ୍କୁ ବାନ୍ଧିଛି ପୋଲିସ।

ଆଜି ସେମାନଙ୍କୁ ଭେଟିବାକୁ ବିଜେପି ମୁଖ୍ୟାଳୟରୁ ଏକ ୫ ଜଣିଆ ପ୍ରତିନିଧି ଦଳ ବାହାରିଥିଲେ । ପ୍ରତିନିଧି ଦଳରେ ଅଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ, ବିଧାୟକ ଶ୍ରୀ ନାଉରୀ ନାଏକ, ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ।

 ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଯୋଡ଼ା ଗସ୍ତ କରି ଘଟଣାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ  ରାଜ୍ୟ ସଭାପତିଙ୍କୁ ରିପୋର୍ଟ ଦେବ ଏହି ପ୍ରତିନିଧି ଦଳ । ଶ୍ରୀରାମ ନବମୀ ଦିନ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଦ୍ଵାରା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୪୪ ଧାରା ଲାଗୁ ହୋଇଥିଲା। ତେବେ ଦୋଷୀମାନଙ୍କୁ ନ ଧରି ପୋଲିସ ନିରୀହ ଯୁବକମାନଙ୍କୁ ଗିରଫ କରିବା ଏହା ନିନ୍ଦନୀୟ କଥା ବୋଲି ବିଜେପି କହିଛି ।

ସେହିପରି ଅନ୍ୟ ଏକ ବିଜେପି ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ମୃତ କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଭେଟିବେ । ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ, ଭବାନୀ ଭୋଇ ଏବଂ ଶଙ୍କର ଓରାମଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ପାର୍ଟି ମୁଖ୍ୟାଳୟରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଭିମୁଖେ ବାହାରିଥିଲେ ।

ଏହି ପ୍ରତିନିଧି ଦଳ ମୃତ ବିଜେପି କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେବା ସହିତ ବାସ୍ତବିକ ସ୍ଥତି ପରଖିବେ ଏବଂ ରାଜ୍ୟ ସଭାପତିଙ୍କୁ ଘଟଣାର ସବିଶେଷ ରିପୋର୍ଟ ଦେବେ।