ଝରିଗାଁ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କର୍ମୀ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବିଜେପି ତରଫରୁ ଆରମ୍ଭ ହୋଇଥିବା ଗଣଧାରଣା ଆଜି ୧୦ମ ଦିନରେ ପହଞ୍ଚିଛି। ଆଲୋଚନା ପାଇଁ କୌଣସି ଅଧିକାରୀ ନଆସିବାରୁ କର୍ମୀମାନେ ଆଜି ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଦୁଇପଟରେ ତାଲା ପକାଇ ଦେଇଥିଲେ।

ସୂଚନା ଯୋଗ୍ୟ, ଉନ୍ନୟନମୂଳକ ଓ ଜନହିତକର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଝରିଗାଁ ବ୍ଲକ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ନିକଟରେ ୧୦ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ବ୍ଲକ ବିଜେପି ପକ୍ଷରୁ ସମସ୍ତ ଅଭିଯୋଗର ଏକ ଚିଠା ପ୍ରସ୍ତୁତ କରି ନବରଙ୍ଗପୁର ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ପଠାଇ ଦୁର୍ନୀତ ରେ ଲିପ୍ତ ଥିବା ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଝରିଗାଁ ବ୍ଲକରେ ଶୌଚାଳୟ ଦୁର୍ନୀତି, ମନରେଗା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀ ଟଙ୍କା ନପାଇବା, ଚାଷୀମାନଙ୍କର ଧାନମଣ୍ଡିରେ ଧାନ କିଣାବିକାରେ ଅନିୟମିତତା ଭଳି ବିଭିନ୍ନ ସମସ୍ୟା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଆଜି ଧାରଣାରେ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନାରାବାଜି କରିଥିଲେ। ସେହିପରି ବିଜେପିର ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦ ଦିନରେ ପହଞ୍ଚିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥଳକୁ ଆସିନାହାଁନ୍ତି। କୌଣସି ପ୍ରଶାସନିକ ଅଧିକାରୀ ଧାରଣାସ୍ଥଳକୁ ନଆସିବାରୁ ବିଜେପି କର୍ମୀମାନେ ବ୍ଲକ୍ ଅଫିସରେ ଧସେଇ ପଶି ତାଲା ପକାଇବା ସହ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି। ଦାବିପୂରଣ ନହେବା ପର୍ଯ୍ୟନ୍ତ ବ୍ଲକ୍ ଧାରଣା ଜାରି ରହିବା ବୋଲି ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ଫିରଜ କୁମାର ଷଡ଼ଙ୍ଗୀ, ଜିଲ୍ଲା ଯୁବ ସଭାପତି ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ବିଜେପି ନେତା ଦିୱାନ ସିଂ, ଚଚା ମଣ୍ଡଳ ସଭାପତି ନରସିଂହ ଭତ୍ରା, ଝରିଗାଁ ମଣ୍ଡଳ ସଭାପତି ଗଣପତି ସାହୁ, ଜିଲ୍ଲା ଯୁବ ଉପସଭାପତି ନରେଶ ସିଂ, ମିଲୁ ପଣ୍ଡା,କ୍ଷେତ୍ରମୋହନ ପାତ୍ର, ଜଗଦୀଶ କଲାର, ସୁମିତ୍ରା ମାଝୀ, ନିରାକାର ମାଝୀ, ପ୍ରତାପ ବାଘ ପ୍ରମୁଖ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।