ସ୍ମିତାରାଣୀ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ କରାନଗଲେ ବିଧାନସଭାକୁ ଅଚଳ କରିଦିଆଯିବ

ଧର୍ମଶାଳା,ଏନ୍ଏନ୍ଏସ୍: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ଧର୍ମଶାଳା ଗସ୍ତ କରି ଫେରିଯିବା ପରେ ଏନେଇ ଶନିବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ପିଇଓଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ସିବିଆଇ ତଦନ୍ତ କରାନଗଲେ ବିଧାନସଭାକୁ ଅଚଳ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବିଜୁ ଜନତା ଦଳର କର୍ମୀମାନଙ୍କ ହାତ ରହିଛି। ଏହାସହ ମହିଳା କମିଶନ୍ ବହିଷ୍କାର ଦାବି କରିଛନ୍ତି।

ପ୍ରକାଶଥାଉକି ଶୁକ୍ରବାର ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଚୋରାମୁହାଁରେ ସ୍ମିତାରାଣୀଙ୍କ ପରିବାରକୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ। ସେମାନେ ସ୍ମିତାରାଣୀ ମୃତ୍ୟୁବରଣ କରିଥିବା ହରିଦାସପୁରସ୍ଥିତ ଗେଷ୍ଟ ହାଉସ ନିକଟକୁ ଯାଇ ତଦନ୍ତ କରିଥିଲେ। ଗତକାଲି କଂଗ୍ରେସ ଦଳ ଏହି ଘଟଣାରେ ରାଜଭବନ ଘେରାଉ କରିଥିଲା।

ସ୍ମିତାରାଣୀଙ୍କ ମୃତ୍ୟୁର ୧୫ ଦିନ ପରେ ବି ରହସ୍ୟ ଉପରୁ ପରଦା ହଟୁନି। ସ୍ଥାନୀୟ ପୁଲିସର ତଦନ୍ତ ଉପରେ ଆସ୍ଥା ନଥିବାବେଳେ ବିଭିନ୍ନ ଆଡୁ ଆସୁଥିବା ମାନସିକ ଚାପ ଯୋଗୁଁ ସ୍ମିତାରାଣୀଙ୍କ ବାପା ନିଜ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଜକୁ ଅସୁରକ୍ଷିତ ମଣୁଥିବା କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି। ଏପଟେ ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ ବିଶ୍ୱାଳ ଏହି ଘଟଣାର ତଦନ୍ତ ସିବିଆଇ ମାଧ୍ୟମରେ କରାଯାଉ ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ଆଣିିଛନ୍ତି।