କୃଷିମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୂବନେଶ୍ୱର, ଏନ୍ଏନ୍ଏସ୍: ପରୀ ଘଟଣାକୁ ନେଇ ଶୁକ୍ରବାର ବିଜେପି ମହିଳା ମୋର୍ଚ୍ଚା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିବା ଲାଗି ଉଦ୍ୟମ କରିଥିଲା। ମହିଳା ମୋର୍ଚ୍ଚାର ନେତ୍ରୀ ଓ କର୍ମୀମାନେ ଜୋରଜବରଦସ୍ତ ବାସଭବନ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ଓ କର୍ମୀଙ୍କ ଭିତରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ନେତ୍ରୀ ଓ କର୍ମୀଙ୍କୁ ଗିରଫ କରିଥିଲା।
ରାଜ୍ୟରେ ଶିଶୁଙ୍କ ପାଇଁ ପୁଲିସ୍ ଚୁପ୍ ରହିଥିଲା ବେଳେ ମନ୍ତ୍ରୀଙ୍କ ସୁରକ୍ଷା ଲାଗି ପ୍ଲାଟୁନ୍ ପ୍ଲାଟୁନ୍ ପୁଲିସ୍ ଜଗି ରହିଛନ୍ତି। ରାଜ୍ୟର ମା’, ଭଉଣୀ ଓ କୋମଳମତୀ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଯଦି ଚିନ୍ତିତ ଥାଆନ୍ତେ, ପରୀ ହତ୍ୟାକାଣ୍ଡ ଭଳି ଘଟଣା ରାଜ୍ୟରେ ହୁଅନ୍ତା ନାହିଁ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ମିଳିନାହିଁ ବିଜେପି ସଂଗ୍ରାମ ଜାରି ରଖିବ। ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ଅନ୍ୟପଟରେ ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ପୁଲିସ୍ର ବିଫଳତାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ପରୀ ଭଳି ଜଣେ ସାଧାରଣ ଘରର ଝିଅକୁ ନ୍ୟାୟ ମିଳିନାହିଁ। ଦୀର୍ଘ ୪ମାସ ଧରି ପୁଲିସ କ’ଣ ତଦନ୍ତ କରୁଥିଲା? ପରୀର ବାପାମାଆ ବାରମ୍ବାର ମନ୍ତ୍ରୀ ଓ ବାବୁଲି ନାୟକଙ୍କ ସମ୍ପୃକ୍ତି କଥା କହୁଥିଲେ ସୁଦ୍ଧା ପୁଲିସ୍ ଚୁପ୍ ରହିଥିଲା। ଏପରି ସମ୍ବେଦନଶୀଳ ଘଟଣାରେ ପୁଲିସ୍ ପ୍ରଶାସନ କାହା ପ୍ରରୋଚନାରେ ବାପାମାଆଙ୍କୁ ୫ଲକ୍ଷ ଟଙ୍କା ଯାଚୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁଙ୍କ ସମେତ ଇରାନୀ ରାୟ, କାନନବାଲା ପଟ୍ଟନାୟକ, କସ୍ତୁରୀ ମିଶ୍ର, ରଶ୍ମୀରେଖା ଦାଶ, ମନ୍ଦାକିନୀ ପାତ୍ର, ସୁବାସିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ପବୀଣା ମହାପାତ୍ର, ପ୍ରବୀଣା ଭଞ୍ଜଦେଓ, ଯାଜ୍ଞସେନୀ ଜେନା, ହରପ୍ରିୟା ସାହୁ, ପ୍ରିୟଦର୍ଶିନୀ ନନ୍ଦ, ମିନାଲତା ମହାନ୍ତି ଓ ନିରୋଜନଲିନୀ ମହାଲିକଙ୍କ ସମେତ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।