ନିର୍ବାଚନୀ ବର୍ଷରେ ଶୁଖିଲା ଚନ୍ଦାହାଣ୍ଡିକୁ ତେଲ ନଦୀ ପାଣିର ମରୀଚିକା ଦେଖାଉଛି ବିଜେଡି : ବିଜେପି ନେତା 

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଏକ ଚିର ମରୁଡ଼ି ପ୍ରଭାବିତ ବ୍ଲକ । ୧୯୭୧ ମସିହାରେ ପ୍ରଥମଥର ପାଇଁ ତେଲ ନଦୀରେ ବନ୍ଧ ତିଆରି ପାଇଁ ସର୍ଭେ ହୋଇଥିଲା । ସେହିଦିନଠୁ ପ୍ରତି ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନଦୀବନ୍ଧର ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାରେ ସଫଳ ହୋଇଛନ୍ତି । କିନ୍ତୁ ବିଜେଡି ସମସ୍ତ ସୀମା ଟପିଯାଇଛି । ନିର୍ବାଚନୀ ବର୍ଷରେ ଶୁଖିଲା ଚନ୍ଦାହାଣ୍ଡିକୁ ତେଲ ନଦୀ ପାଣିର ବିଜେଡି ମରୀଚିକା ଦେଖାଉଛି ବୋଲି ବିଜେପି ନେତା ତଥା ପୂର୍ବତନ ସାଂସଦ ବଲଭଦ୍ର ମାଝୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

ବଲଭଦ୍ର ମାଝୀ କହିଛନ୍ତି ଯେ, ଚନ୍ଦାହାଣ୍ଡିବାସୀଙ୍କୁ ଗତ ନିର୍ବାଚନରେ ବିଜେଡି ଭକୁଆ ବନେଇବାରେ ସଫଳ ହୋଇଛି । କିନ୍ତୁ ମୁଁ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ସାଂସଦ ଥିବା ସମୟରେ ପ୍ରାୟ ସମସ୍ତ ପ୍ରକ୍ରିୟା ସାରିଥିଲି । କେବଳ ଛତିଶଗଡ଼ ସରକାରଙ୍କଠାରୁ ଅନୁମତି ଆଣିବାର ଥିଲା । ହେଲେ ଅଯଥାରେ ଓଡ଼ିଶା ସରକାର ମହାନଦୀ ବିବାଦର ଟ୍ରିବ୍ୟୁନାଲକୁ ନେବାରୁ ତେଲ ନଦୀ ବନ୍ଧ ପ୍ରସ୍ତାବ ଥଣ୍ଡା ବସ୍ତାକୁ ଚାଲିଗଲା । ତେଲ ନଦୀ ମହାନଦୀ ଅବବାହିକାରେ ରହିଛି । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ନିଷ୍ପତ୍ତି ଆସିନାହଁ ସେପର୍ଯ୍ୟନ୍ତ ମହାନଦୀ ଅବବାହିକାରେ ଥିବା କୌଣସି ନଦୀ ଉପରେ ଜଳସେଚନ ପ୍ରକଳ୍ପ ହୋଇପାରିବ ନାହିଁ । ପ୍ରସ୍ତାବିତ ନଦୀବନ୍ଧର କ୍ଷମତା ୯ ହଜାର ହେକ୍ଟରରୁ ଅଧିକ ଓ ୧୮ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ୨୦୨୪ ନିର୍ବାଚନ ପାଖେଇ ଆସିବାରୁ ବିଜେଡ଼ି ସରକାର ଗୋଟିଏ ମୁଖ୍ୟଯନ୍ତ୍ରୀଙ୍କଠାରୁ ଅନ୍ୟ ଏକ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି କରାଇଛନ୍ତି, ଯେଉଁଥିରେ ପୁନର୍ବାର ସର୍ଭେ କରିବା ପାଇଁ କୁହାଯାଇଛି । ଚନ୍ଦାହାଣ୍ଡିର ଭୋଟର ଏଥର ସଜାଗ ଅଛନ୍ତି ଏବଂ ନେତାଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।