ପଶ୍ଚିମବଙ୍ଗ ନେଇ ବିଳମ୍ବିତ ରାତି ଯାଏଁ ଚାଲିଲା ବିଜେପି ସିଇସି ବୈଠକ, ଶୀଘ୍ର ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,ଏଜେନ୍ସି: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବୁଧବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି (ସିଇସି)ର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ବିଳମ୍ବିତ ରାତ୍ରି ଯାଏ ଚାଲିଥିବା ଜଣାପଡ଼ିଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ପଶ୍ଚିମବଙ୍ଗରେ ବାକି ଥିବା ପ୍ରାର୍ଥୀଙ୍କ ନାମ ନେଇ ଚର୍ଚ୍ଚା ହୋଇଥିଲା। ଏଥି ସହିତ ବିଜେପିର ଘୋଷଣା ପତ୍ର ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଓ ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରାର୍ଥୀ ବାବୁଲ ସୁପ୍ରିୟ କହିଛନ୍ତି, ପଶ୍ଚିମବଙ୍ଗରେ ବାକି ଥିବା ପ୍ରାର୍ଥୀଙ୍କ ନାମର ତାଲିକା ଦିନେ-ଦୁଇ ଦିନ ମଧ୍ୟରେ ଜାରି କରିଦିଆଯିବ। ଏହାରି ମଧ୍ୟରେ ବିଜେପି ପଶ୍ଚିମବଙ୍ଗ ନିର୍ବାଚନ ଲାଗି ନିଜର ୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏଥିରେ ବରୁଇପୁର ପୂର୍ବାରୁ ଚନ୍ଦନ ମଣ୍ଡଙ୍କୁ ଟିକେଟ ଦିଆଯାଇଛି। ଫାଲ୍ଟାରୁ ବିଧାନ ପରୁଇ, ଉଲୁମବେରିୟା(ଦକ୍ଷିଣ)ରୁ ପାପିୟା ଅଧିକାରୀ ଓ ଜଗତବଲ୍ଲପୁରରୁ ଅନୁପମ ଘୋଷଙ୍କୁ ଟିକେଟ ମିଳିଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ପାଇଁ ବିଜେପି ପ୍ରଥମ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ ତାରିଖ ଠାରୁ ଏହା ଆରମ୍ଭ ହେବ। ୧ ଏପ୍ରିଲ, ୬ ଏପ୍ରିଲ, ୧୦ ଏପ୍ରିଲ, ୧୭ ଏପ୍ରିଲ, ୨୨ ଏପ୍ରିଲ, ୨୬ ଏପ୍ରିଲ ଓ ୨୯ ଏପ୍ରିଲରେ ମଧ୍ୟ ମତଦାନ ହେବ। ମେ’ ୨ ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ।