୧୧ଦିନ ଧରି ବରଗଡ଼ ଜିଲ୍ଲାର ୨ ଜିଲ୍ଲାପରିଷଦ ସଭ୍ୟା ନିଖୋଜ, ବିଜେପି ପକ୍ଷରୁ ଲୁଚାଇ ରଖିଥିବା ଅଭିଯୋଗ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ୨ଜଣ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ଭୋଇ ଏବଂ ସୁଷମା ଭୁଏ ଗତ ୪ତାରିଖରୁ ନିଖୋଜ ଥିବା ଜଣାଯାଇଛି। ଏହାକୁ ନେଇ ବିଜେପି ପକ୍ଷରୁ ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ଭୋଇ ଏବଂ ସୁଷମା ଭୁଏଙ୍କୁ ସୋହେଲା ଠାରେ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତ ୪ତାରିଖରୁ ଏଭଳି ଘଟଣା ଘଟିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିପାରିନାହିିଁ। ସେହିପରି ବରଗଡ ଜିଲ୍ଲାର ଏହି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ଦଳ ବଦଳ କରିବାକୁ ପ୍ରବର୍ତାଉଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।