ଲିଙ୍ଗରାଜ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏକାମ୍ର-ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଲିଙ୍ଗରାଜ ମଣ୍ଡଳ ବିଜେପିପକ୍ଷରୁ ସୁନ୍ଦରପଦାରେ କାର୍ଯକର୍ତ୍ତାଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲିଙ୍ଗରାଜ ମଣ୍ଡଳ ଅଧୀନରେ ଥିବା ସମସ୍ତ ୱାର୍ଡର ବିଜେପି କାର୍ଯ୍ୟକର୍ତ୍ତା ମାନେ କିଭଳି କେନ୍ଦ୍ର ସରକାରଙ୍କର ଜନହିତକର କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚାଇବେ ଏବଂ ସେମାନଙ୍କୁ ସଚେତନ କରିବେ ଏନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଏହି ଶିବିରରେ ସାମିଲ ହୋଇ ପ୍ରଶିକ୍ଷକ ଭାବେ କାର୍ଯ୍ୟକର୍ତ୍ତାଙ୍କ ଆଗରେ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ବିଜେପିର ଇତିହାସ ଏବଂ ବିକାଶ, ବିଚାର ଓ ପରିବାର, ବିଜେପି ଏବଂ ଆମର ଦାୟିତ୍ୱ, ବ୍ୟକ୍ତିତ୍ୱ ବିକାଶ, ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମନିର୍ଭରତା, ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ, କାର୍ଯ୍ୟ ପଦ୍ଧତି ଏବଂ ସଙ୍ଗଠନ ସରଞ୍ଚନାରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ବିଜେପିର ଭୂମିକା ଏବଂ ନିର୍ବାଚନ ପରିଚାଳନା ଭଳି ବିଭିନ୍ନ ବିଷୟବସ୍ତୁ ଉପରେ ଛାମୁଆ ନେତା କର୍ମୀଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। ଲିଙ୍ଗରାଜ ମଣ୍ଡଳ ବିଜେପି ସଭାପତି ସୁରେନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ପ୍ରଶିକ୍ଷଣ କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡରୁ ବିଜେପିର ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।