ବିଜେଡି ନେତା ମିଛ କହୁଛନ୍ତି, ବିଜେପି ପ୍ରଭାରୀ ନୁହଁ: ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ସରକାର ବିଭିନ୍ନ ପ୍ରସଙ୍ଗରେ ରଖିଥିବା ଉତ୍ତର ଆଧାରରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଏହାପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି। ତେଣୁ ଏହା ସ୍ପଷ୍ଟ କରୁଛି ଯେ ବିଭାଗୀୟ ମନ୍ତ୍ରୀ ମାନେ ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି। କିନ୍ତୁ, ବିଜେଡି ମୁଖପାତ୍ର ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ନରଖି ବ୍ୟକ୍ତିଗତ ଭାବେ ଜଣେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରିଛନ୍ତି। ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଏହା ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଲେଖାଶ୍ରୀ ପ୍ରତିଆକ୍ଷେପ କରିଛନ୍ତି ଯେ ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପତିଶୃତି ପାଳନ କରିନାହିଁ। ଲଗାତାର ଦୁଇଟି ନିର୍ବାଚନରେ ବିଜେଡି ଗରିବ ଲୋକଙ୍କୁ ପକ୍କାଘର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ବି ଅନେକ ପକ୍କା ଘର ପାଇବାରୁ ବଞ୍ଚିତ ରହିିଛନ୍ତି। ଗ୍ରାମାଞ୍ଚଳରେ ଏବେ ବି ୨ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି। ରାଜ୍ୟ ସରକାର ଆୟୁଷ୍ମାନ ଭାତର ଯୋଜନା ଲାଗୁ କରିବା ବଦଳରେ ଓଏସଟିଏଫକୁ ବନ୍ଦ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ହେଲେ ଏଥିରେ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇ ପାରୁନାହଁନ୍ତି। ଓଡିଶାର ଏବେ ୧୨୪୨ ଗାଁକୁ ରାସ୍ତା ନାହିଁ। ପାଖାପାଖି ୯୦ ପ୍ରତିଶତ ଘରକୁ ପିଇବା ପାଣି ପହଞ୍ଚି ନାହିଁ। ଏସବୁ କଣ ମିଛ? ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ମୁଖ୍ୟମନ୍ତ୍ରୀ ନିଜର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କାଳିଆ ସହାୟତା ପ୍ରଦାନ ବନ୍ଦ ହେବନି ବୋଲି ଘୋଷଣା କରିଥିଲେ। ଏବେ କୁଆଡେ ଗଲା ସେ ପ୍ରତିଶୃତି? ମୋଦି ସରକାର ପି-ଏମ୍ କିଷାନ ଯୋଜନାରେ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବାବେଳେ କାଳିଆ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ନଦେଇ ପ୍ରତାରଣା କରୁଛନ୍ତି। ପିଏମ୍-କିଷାନରେ ରାଜ୍ୟର ୩୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବାବେଳେ ଏବେ ଏହା କମି ୨୦ ଲକ୍ଷରେ ପହଞ୍ଚିଛି। ରାଜ୍ୟ କଣ ପାଇଁ ସବୁ ଚାଷୀଙ୍କ ତାଲିକା ଦେଉନାହିଁ? ବୋଲି ଲେଖାଶ୍ରୀ ପଚାରିଛନ୍ତି।

ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ବିଗତ ୨ବର୍ଷ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହେଲେଣି। ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡରେ ଖୋଦ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ବାବୁଲି ସାହୁଙ୍କୁ ସୁରକ୍ଷା ଦେଉଛନ୍ତି। ବିରୋଧୀଙ୍କ ସମାଲୋଚନାକୁ ଗ୍ରହଣ କରି ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ସରକାରଙ୍କ ଦାୟୀତ୍ୱ। କିନ୍ତୁ ଏଠି ସରକାରୀ ତଥ୍ୟକୁ ନେଇ ବିରୋଧୀ ଅଭିଯୋଗ କଲେ ବିଜେଡି ମୁଖପାତ୍ରମାନେ ବ୍ୟକ୍ତିଗତ ସ୍ତରକୁ ଆସି ମିଛୁଆ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖାଶ୍ରୀ ଆକ୍ରୋଶ ବ୍ୟକ୍ତ କରିଛନ୍ତି।