କେନ୍ଦ୍ର ଅବହେଳାକୁ ନେଇ ପଞ୍ଚାୟତ ଘେରିଲେ ବିଜେଡି କର୍ମୀ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ରର ବିଜେପି ସରକାର ରାଜ୍ୟର ୩କୋଟି ୨୫ଲକ୍ଷ ଗରିବ ପରିବାରଙ୍କୁ ଭୋକିଲା ରଖିଛନ୍ତି । ଓଡିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ସଦସ୍ୟମାନେ ଷଡ଼ଯନ୍ତ୍ର କରି ରାଜ୍ୟକୁ ଚାଉଳ ଯୋଗାଣ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ରାଜ୍ୟରୁ ଧାନ ସଂଗ୍ରହ ପରିମାଣକୁ ମଧ୍ୟ କମ କରିଦେଇଥିବାରୁ ରାଜ୍ୟ ବିଜେଡିର ଆହ୍ୱାନକ୍ରମେ ବିଭିନ୍ନ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମରେ ବିଜେଡି ନେତା କେନ୍ଦ୍ର ଉପରେ ବର୍ଷିଛନ୍ତି । ବ୍ଲକ ଅନ୍ତର୍ଗତ ଖୋଲାନ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଦଳ ପକ୍ଷରୁ ସମିତି ସଭ୍ୟ ଧିର ରଣା, ଦେବରାଜ ବିଶି, ସୁନିଲ ବୁବେଲ, ଜନ୍ମେଜୟ ରଣା, ବିଷ୍ଣୁ ସ୍ୱାଇଁ, କ୍ଷମାନିଧି ଭୁୟାଁ, ସନ୍ୟାସୀ ନାୟକ, ସଚିନ ଛତର, ରାଧାମୋହନ ମୁଗ୍ରୀ, ଦେବରାଜ ରଣା ଓ କାଲୁ ଭୋଇ ପ୍ରମୁଖ ସାମିଲ ହୋଇଥିଲେ । ଯୁବ ବିଜେଡି ନେତା ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ବୀରବର ସାହୁ ନିଜ ସିହିନି ପଞ୍ଚାୟତ କାର୍ଯ୍ୟାଳୟକୁ ଦଳବଳ ସହ ଘେରାଉ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ କେନ୍ଦ୍ର ସରକାରଙ୍କ ବିରୋଧୀ ବିଭିନ୍ନ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ବିଜେଡି ସଭାପତି ପଦ୍ମଲୋଚନ ପୌଢ଼ଙ୍କ ନେତୃତ୍ୱରେ ଘଣ୍ଟବାହାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟ ଭରତ ହାତି, ତପନ ଛତର, ଜିତେନ୍ଦ୍ର ଛତର ଓ କର୍ଣ୍ଣରଥି ସାହୁ ପ୍ରଦର୍ଶନ କରିଥିଲେ ।