ଧାନ ଦରକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି । ବିଜେପି ନେତା ପ୍ରଦୀପ ପୋରହିତ ନିଜେ ବିଧାୟକ ଥିବାବେଳେ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଆସିଥିବା ସଙ୍କଳ୍ପକୁ ତାଙ୍କ ଦଳ ଓ ସେ ସମର୍ଥନ କରୁଥିଲେ। ହେଲେ ରାଜନୀତି ପାଇଁ ଏବେ ସବୁ ଭୁଲିଯାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆରୋପ ଲଗାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ସଙ୍କଳ୍ପ ଆଣିଥିଲେ ଓ ଦଳମତ ନିର୍ବିଶେଷରେ ଏହା ଗୃହରେ ପାରିତ ହୋଇଥିଲା। ଶ୍ରୀ ପୁରୋହିତ ସେତେବେଳେ ବିଜେପି ବିଧାୟକ ଥିଲେ ଏବଂ ଧାନର କୁଇଣ୍ଟାଲ ପ୍ରତି ଦର ୨୯୩୦ ଟଙ୍କା କରିବାପାଇଁ ସରକାର ଆଣିଥିବା ପ୍ରସ୍ତାବକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ। କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କୁ ଧାନର ସର୍ବନିମ୍ନ ଦର କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ କହିବାପାଇଁ ଶ୍ରୀ ପୁରୋହିତ ସାହସ କୁଳାଇ ପାରୁନଥିବାବେଳେ ଏବେ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଚାଷୀ ପ୍ରସଙ୍ଗରେ ଏଭଳି ଶସ୍ତା ରାଜନୀତି କରିବା ଅପେକ୍ଷା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାପାଇଁ ତାଙ୍କରି ସମର୍ଥନରେ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ସେ ସମର୍ଥନ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।