କେନ୍ଦ୍ର ସରକାର ବିରୁଦ୍ଧରେ ତେଜିଲା ବିଜେଡି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନଏସି ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ ନଗରପାଳ ମାନସୀ ବିଶ୍ୱାଳ, ଯୁବ ବିଜେଡି ସଭାପତି ପରେଶ ସାହୁ, ସୁକୁମାର ବାରିକ, ଯୁବରାଜ ମେହେର, ଗଣ୍ଡାରାମ ବେହେରା, ମିଡିଆ ସେଲ ଆବାହକ ପ୍ରଦୀପ ମେହେର, ପ୍ରମୋଦ ମେହେରଙ୍କ ସହ ସମସ୍ତ କାଉନସିଲର ଓ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଉପରୋକ୍ତ ସମସ୍ତେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।