ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବଢ଼ିବାରେ ଲାଗିଛି । ରାମନାଗୁଡ଼ା ବ୍ଲକ ଉପାଧ୍ୟକ୍ଷା ଜାନକି ନିମାଲାଙ୍କ ସହ ପେଣକାମ ସମିତି ସଭ୍ୟ ସାମ୍ବାୟା ମାଣ୍ଡାଙ୍ଗି, ଗୋସେଇଁ ଗୁଲୁମୁଣ୍ଡା ସମିତି ସଭ୍ୟା ସୁଷୁମା ଗୁରୁ , ବୁଥିଂ ସମିତି ସଭ୍ୟ ଆପା ରାଓ ପାତିକା, ଗୁଲୁମୁଣ୍ଡା ସରପଞ୍ଚ ବିକ୍ରମ ଶବର ଓ ସମିତି ସଭ୍ୟ ସୁରେନ୍ଦ୍ର ମାଣ୍ଡାଙ୍ଗି ତାଙ୍କ ଶତାଧିକ ସମର୍ଥକଙ୍କ ସହିତ କଂଗ୍ରେସ ଦଳର ଟାଣୁଆ ନେତା ଦିଲ୍ଲୀପ ମୁଟିକା, ପ୍ରଦୀପ ନିମାଲା ବିଜେଡିରେ ସାମିଲ ହୋଇଛନ୍ତି । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାୟଗଡ଼ା ଜିଲ୍ଲା ସଭାପତି ସୁଧିର କୁମାର ଦାସଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସର୍କିଟ ହାଉସରେ ବିଜେଡିର ମିଶ୍ରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡିରେ ଯୋଗ ଦେବା ସମ୍ପର୍କରେ ଉପରୋକ୍ତ ନେତାଙ୍କୁ ପଚାରିବାରୁ ରାମନାଗୁଡ଼ା ବ୍ଲକ କଂଗ୍ରେସ ଆଉ ଶୃଙ୍ଖଳିତ ଦଳ ହୋଇନାହିଁ । ସେଥିପାଇଁ ବିଜେଡି ରାଜ୍ୟର ଏକମାତ୍ର ଶୃଙ୍ଖଳିତ ଦଳ ହୋଇଥିବାରୁ ବୁଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛୁ ବୋଲି କହିଛନ୍ତି ।
ଉକ୍ତ ଘଟଣା ସମ୍ପର୍କରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗଙ୍କୁ ପଚାରିବାରୁ ଆମ କଂଗ୍ରେସ ଦଳ ଶୃଙ୍ଖଳିତ ଦଳ ଯେଉଁମାନେ ବିଜେଡିକୁ ଗଲେ ସେମାନେ ଅସନ୍ତୁଷ୍ଟ ହେବାର କାରଣ କିଛି ନାହିଁ । ବିଜେଡିରେ ସାମିଲ ହେବା ପାଇଁ ଆଗ୍ରହ ଥିବାରୁ ସେମାନେ ସେହି ଦଳରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ବିଜେଡି ଛାତ୍ର ସଭାପତି ପିଙ୍କୁ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ କମଳ ଲୋଚନ ମୁଟିକା, ରାମନାଗୁଡ଼ା ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ ଓ ରାମନାଗୁଡା ବିଜେଡି ବ୍ଲକ ସଭାପତି ବିଜୟ କୁମାର ମାଣ୍ଡାଙ୍ଗି ଉପସ୍ଥିତ ଥିଲେ । ଉପରୋକ୍ତ ନେତାମାନେ ବିଜେଡିରେ ଯୋଗଦେବା ଫଳରେ ଦଳ ମଜଭୁତ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାସ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।