ପ୍ରତିଷ୍ଠା ଦିବସରେ ନବୀନଙ୍କ ଘୋଷଣା : ମହିଳାଙ୍କ ହକ୍ ପାଇଁ ଲଢ଼େଇ କରିବ ବିଜେଡି
ମା’ମାନେ ସମାଜର ଚକ ଓ ଅଖ, ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ
ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହିଳା କାର୍ଡ ଖେଳିବା ସହ ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ମା’ମାନେ ସମାଜର ଚକ ଓ ଅଖ। ସେମାନଙ୍କ ବିନା ‘ପ୍ରଗତି ରଥ’ ଆଦୌ ଆଗକୁ ବଢ଼ିପାରିବନାହିଁ। ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟସ୍ତରରେ ବିଜେଡି ତା’ର ଲଢ଼େଇ ଜାରି ରଖିବ। ହେଲେ ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକଙ୍କର ମହିଳାଙ୍କ କଥା ମନେପଡ଼େ। ନିର୍ବାଚନୀ ଇସ୍ତାହାରରେ ସେମାନେ ମହିଳାଙ୍କ ସ୍ୱାର୍ଥ ନେଇ ବହୁତ ବଡ଼ ପ୍ରତିଶ୍ରୁତି ବି ଦେଇଥାନ୍ତି। ଆଉ ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। ଆମ ଦଳ ତାହା କରିନାହିଁ, ବରଂ ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହ ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକଟ ଦେଇଛି ବୋଲି ନବୀନ ଦୃଢ଼ତାର ସହ ପ୍ରକାଶ କରିଥିଲେ।
ବିଜୁ ଜନତାଦଳ ୨୪ ବର୍ଷରେ ପଦାର୍ପଣ କରିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟାନାୟକଙ୍କ ନାମରେ ୧୯୯୭ ଡିସେମ୍ବର ୨୬ରେ ଏହି ଆଞ୍ଚଳିକ ଦଳ ଗଠନ ହୋଇଥିଲା। କୋଭିଡ୍ କଟକଣା ଭିତରେ ଶନିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ସବୁ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ଚବିଶତମ ପ୍ରତିିଷ୍ଠା ଦିବସ ପାଳନ ହୋଇଛି।
