ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୯ଟି ଜିଲ୍ଲାରେ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଘଟୁଥିବା ପକ୍ଷୀ ମଡ଼କ ପଛରେ ଏଭିଆନ ଇନଫ୍ଲୁଏଞ୍ଜା ଭୂତାଣୁ ରହିଛି। ପୂର୍ବରୁ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିଆଣା, ଗୁଜୁରାଟ ଓ ଜାମ୍ମୁ କାଶ୍ମୀରରେ ବାର୍ଡ ଫ୍ଲୁ ଦେଖାଦେଇଛି।
କେବଳ ହରିଆଣାରେ କିଛି ସପ୍ତାହ ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ପକ୍ଷୀ ମଡ଼କକୁ ନେଇ ଜାମ୍ମୁ କାଶ୍ମୀର ଓ ଛତିଶଗଡ଼ରେ ଆଲର୍ଟ ଜାରି କରାଯାଇଛି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଏନେଇ ଆଜି ସଂସଦରେ ଏନେଇ ଆଲୋଚନା ହେବ। ପାର୍ଲାମେଣ୍ଟର କୃଷି ଷ୍ଟାଣ୍ଡିଂ କମିଟି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ ସମନ କରିଛନ୍ତି।
ଦେଶରେ ବାର୍ଡ ଫ୍ଲୁ ସତର୍କତା ସହ ଇନଫ୍ଲୁଏଞ୍ଜା ଟିକା ଉପଲବ୍ଧି ନେଇ ବୈଠକରେ ଆଲୋଚନା ହେବ। ଏଥିସହିତ ଦିଲ୍ଲୀର ପ୍ରତି ଜିଲ୍ଲା ପାଇଁ ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି। ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ’ର କେନ୍ଦ୍ରସ୍ଥଳ କୁହାଯାଉଥିବା ପରବାନି ଉପରେ ସତର୍କ ନଜର ରଖାଯାଇଛି। ସେପଟେ କେରଳରେ ୧୨ ହଜାର ବତକ ସହିତ ହଜାର ହଜାର ପକ୍ଷୀ ମଡ଼କ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।