ବାଇକ ଓ ପିକଅପ୍ ଭେନ ମୁହାଁମୁହିଁ ଧକ୍କା : ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ସ୍ଥିତ ଶୁନାମୁଦି ଗ୍ରାମରେ ଦୁର୍ଘଟଣା ଘଟି ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ସାଧୁ ସେଠ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ଯାଇ ଏକ ମୋଟର ସାଇକେଲ ଯୋଗେ ଶୁନାମୁଦିକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ପିକଅପ ଭେନ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସାଧୁ ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀଙ୍କୁ ଗୁରୁତର ଅବସ୍ଥାରେ କିଛି ଲୋକ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ ଭେନର ଚାଳକ ପାଟଣାଗଡ଼ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।