ବିହାର ବିଜେପି ମୁଖପାତ୍ରଙ୍କୁ ଗୁଳି

ପାଟନା,ଏଜେନ୍ସି: ବୁଧବାର ପୂର୍ବାହ୍ଣରେ ଅଚିହ୍ନା ଲୋକଙ୍କ ଗୁଳିର ଶିକାର ହୋଇଛନ୍ତି ବିହାର ବିଜେପି ମୁଖପାତ୍ର ପ୍ରଫେସର ଅଜଫର ସାମସି। ମୁଙ୍ଗେର ଜିଲ୍ଲା ଜମାଲପୁର କଲେଜ ପାଖରେ ସେ ଗୁଳିମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲ୍ରେ ଭର୍ତ୍ତି କରାଯାଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାଟନା ପଠାଇ ଦିଆଯାଇଛି। ସ୍ଥାନୀୟ ଜମାଲପୁର କଲେଜରେ କାର୍ଯ୍ୟରତ ସାମସି ନିଜ କାରରେ କଲେଜକୁ ଯାଇଥିଲେ। କଲେଜ୍ ଗେଟ୍ ସମ୍ମୁଖରେ ପହଞ୍ଚି ଗାଡ଼ିରୁ ଓହ୍ଲାଇବା ପରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ଗୋଟିଏ ଗୁଳି ବାଜିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ସ୍ଥାନୀୟ ଏସ୍ପି ମାନବଜିତ୍ ସିଂ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି। ଏଥିସହ ଜମାଲପୁର କଲେଜ ପ୍ରଭାରୀ ପ୍ରାଚାର୍ଯ୍ୟ ଲଲନ ସିଂଙ୍କୁ ଗିରଫ କରି ପୁଲିସ ତାଙ୍କୁ ପଚରାଉଚରା କରୁଥିବା ସୂଚନା ଦିଆଯାଇଛି।