ଖପ୍ରାଖୋଲ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୂଟ, ରାହାଜାନି, କଫସିରଫ ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା, କିନ୍ତୁ ରମାକାନ୍ତ ସାହୁ ଯେଉଁ ଦିନଠୁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେଲେ ସେହି ଦିନଠୁଁ ଖପ୍ରାଖୋଲ ଥାନା ଅଞ୍ଚଳରେ ଥିବା ଚୋର ମାଫିଆ ମାନଙ୍କ ମନ ଭିତରେ ପୋଲିସ ପ୍ରତି ଭୟ ସୃଷ୍ଟି ହୋଇଛି।
ଗୁରୁବାର ଦିନ ଖପ୍ରାଖୋଲ ଥାନା ପରିସରରେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ, ଗତ ଅଗଷ୍ଟ ୧୯ ତାରିଖ ସନ୍ଧ୍ୟା ସମୟରେ ବୁଢ଼ୀବାହାଲ ଗ୍ରାମର ଜୈନକ ବ୍ୟକ୍ତି ବଳଦେବ ଶଗର(୪୦) କୌଣସି କାମରେ ଧଣ୍ଡାମୁଣ୍ଡା ଗ୍ରାମକୁ ଯାଇଥିଲେ। ସେଠାରେ ସେ ମାନସ ସାହୁଙ୍କ ସହଜ ସେବା କେନ୍ଦ୍ର ସମ୍ମୁଖରେ ନିଜ ବାଇକ (ଓଡି-୧୭ଏନ-୦୫୩୮)କୁ ରଖି ଦୋକାନକୁ ଯାଇଥିଲେ। ଫେରିଲା ପରେ ଦେଖିବାକୁ ପାଇଲେ ତାଙ୍କର ବାଇକ ସେଠି ନ ଥିଲା। ଏ ନେଇ ସେ ଖପ୍ରାଖୋଲ ଥାନାରେ ଗୋଟିଏ ଲିଖିତ ଅଭିଯୋଗ କରିଥିଲେ। ଶ୍ରୀ ଶଗରଙ୍କ ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ଏକ ଟିମ ଗଠନ କରିଥିଲେ ଏବଂ ବାଇକ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲେ।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ ତାଙ୍କ ଟିମରେ ଥିବା କନେଷ୍ଟବଳ ସଞ୍ଜୀବ ସାହୁ ଚୋରକୁ ଧରିବାକୁ ବାହାରିଥିଲେ। ବହୁତ ପରିଶ୍ରମ କରି ଚୋରକୁ କାବୁ କରିଥିଲେ। ଚୋରକୁ ଥାନାକୁ ଆଣି ପଚରାଉଚରା କଲା ପରେ ଜଣା ପଡିଲା ତା ନାଁ ରିଙ୍କୁ ମେହେର(୨୬) ଓ ତା ଘର ତୁରକେଲା ଥାନା ଲର୍କି ଗ୍ରାମରେ। ସେ ବାଇକ ଚୋରି କରିଥିବା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ୧୨ରୁ ଊର୍ଦ୍ଧ୍ୱ ବାଇକ ଚୋରି କରିଥିବା କଥା ସ୍ୱୀକାର କରିଥିଲା। ସେଥିରୁ ପୁଲିସ ୮ଟି ବାଇକ ଖୋଜିବାରେ ସଫଳ ହୋଇଛି। ଆଉ ୪ଟି ବାଇକ ଖୁବଶୀଘ୍ର ଖୋଜି ବାହାର କରିବାକୁ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରତିଶ୍ରୁତି ଦେଇଛନ୍ତି।