ନୁଆଁଖାଇ ଭେଟଘାଟ ଉପଲକ୍ଷେ କେନ୍ଦୁଉଡ଼ାରରେ ବିଶାଳ ଆଦିବାସୀ ମେଳି, ସାଂସଦଙ୍କୁ ଭବ୍ୟ ସ୍ୱାଗତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧିନସ୍ଥ କେନ୍ଦୁଉଡ଼ାର ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଇଁତଲା ଶାଖା ତରଫରୁ ନୁଆଁଖାଇ ଭେଟଘାଟ ଉପଲକ୍ଷେ ଏକ ବିଶାଳ ଆଦିବାସୀ ମେଳି ହୋଇଛି। ଏହି ଅବସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପାରମ୍ପାରିକ ନୃତ୍ୟ ବାଦ୍ୟ ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ଆଦିବାସୀ ମାନେ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ସାଂସଦ ଶ୍ରୀ ବିଶିଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। କେନ୍ଦୁଉଡ଼ାର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ପ୍ରଥାଗତ ଅଧିକାର ଉପରେ ଆଲୋକପାତ କରିଥିଲେ।

ଆଦିବାସୀଙ୍କ ପ୍ରାଚୀନ ପ୍ରଥା ପରମ୍ପରା, ରୀତିନୀତି, ଐତିହ୍ୟ, ଭାଷା ବୋଲି, ଧାର୍ମିକ ବିଶ୍ୱାସ, ଦେବଦେବୀ ପୂଜା ପଦ୍ଧତି ଗୁଡିକୁ ସୁରକ୍ଷା ସଂରକ୍ଷଣ କରିବା ସହିତ ବିଲୁପ୍ତପ୍ରାୟ କଳା, ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତର ପୁନଃଉଦ୍ଧାର କରିବାକୁ ଯୁବ ପିଢ଼ି ଆଗେଇ ଆସିବାକୁ ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ। ଆଦିବାସୀ ସମାଜ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଧନ୍ଦାମୂଳକ ଶିକ୍ଷା ହିଁ ଆବଶ୍ୟକ। ଉଚ୍ଚଶିକ୍ଷା ଦ୍ୱାରା ଆଦିବାସୀଙ୍କ ଅର୍ଥନୈତିକ ବିକାଶ ହେବ। ଶିକ୍ଷା ବିକାଶର ମୂଳଦୁଆ ବୋଲି ଶ୍ରୀ ବିଶି ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ପୁରୁଷ ନୁଆଁଖାଇ ଭେଟଘାଟରେ ଅଂଶଗ୍ରହଣ କରିଥିଲେ। ସଭା କାର୍ଯ୍ୟକ୍ରମ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳର ଶତାଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।