କୋଭିଡ୍‌ର ଉତ୍ପତ୍ତିସ୍ଥଳ ଚିହ୍ନଟ ପାଇଁ ଉଦ୍ୟମ; ୩ ମାସରେ ରିପୋର୍ଟ ଦେବାକୁ ଗୁଇନ୍ଦା ଏଜେନ୍ସିକୁ ବାଇଡ଼େନଙ୍କ ନିର୍ଦ୍ଦେଶ

ୱାଶିଂଟନ୍‌,ଏଜେନ୍ସି: କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଦେଶର ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କୁହାଯାଇଛି। ଚୀନକୁ କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଛି ଏବଂ ଏହା ପ୍ରାଣୀଙ୍କ ଠାରୁ କିମ୍ବା ପରୀକ୍ଷାଗାରରୁ ଆବିର୍ଭାବ ଘଟିଛି ବୋଲି ଅଭିଯୋଗ ହେଉଛି। ତେଣୁ ଏହାର ସତ୍ୟାସତ୍ୟ ନିର୍ଦ୍ଧାରଣ କରିବା ଲାଗି ବାଇଡ଼େନ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି। ସେ କହିଛନ୍ତି, ଅଧିକାଂଶ ଗୁଇନ୍ଦା ସଂସ୍ଥା ଏ ସମ୍ପର୍କରେ ବିଶେଷ ତଥ୍ୟ ହାସଲ କରିପାରି ନାହାନ୍ତି। ସେଥିପାଇଁ କୌଣସି ଗୁଇନ୍ଦା ଏଜେନ୍ସି ସହ ଅନ୍ୟ ଏଜେନ୍ସିର ଅନୁସନ୍ଧାନରେ ମେଳ ଖାଉନାହିଁ। ଏହି ଏଜେନ୍ସିଗୁଡ଼ିକ ସୂଚନା ସଂଗ୍ରହ ଓ ବିଶ୍ଳେଷଣ ଉଦ୍ୟମ ଚାରିଗୁଣ କରି ୩ ମାସ ମଧ୍ୟରେ ରିପୋର୍ଟ ଦିଅନ୍ତୁ। ଏହି ଅନୁସନ୍ଧାନରେ ଆମେରିକାର ଜାତୀୟ ବିଜ୍ଞାନଗାରଗୁଡ଼ିକୁ ସହଯୋଗ କରିବାକୁ ବାଇଡ଼େନ ନିର୍ଦ୍ଦେଶ ଦେଇଛନ୍ତି।

ବାଇଡ଼େନ କହିଛନ୍ତି, ୩.୪ ନିୟୁତ ଲୋକଙ୍କ ଜୀବନ ନେଇ ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ମହାମାରୀ ଭୂତାଣୁର ଦୁଇଟି ସମ୍ଭାବ୍ୟ ଉତ୍ସ ସମ୍ପର୍କରେ ଲୋକ ଦ୍ୱିମତ ହେଉଛନ୍ତି। ଭୂତାଣୁ କିଭଳି ଆବିର୍ଭାବ ହେଲା, ତାହା ମୁଖ୍ୟ ପ୍ରଶ୍ନବାଚୀ ହୋଇଛି। ଚୀନ୍‌ ସ୍ଥିତ ଆମିଷ ବଜାରରେ କୌଣସି ପ୍ରାଣୀ ସଂସ୍ପର୍ଶ ଦ୍ୱାରା କିମ୍ବା ସେଠାରେ ଗବେଷଣାଗାରରୁ ଭୂତାଣୁର ସଂକ୍ରମଣ ବ୍ୟାପିଲା ତାହା ଏବେ ଅନୁସନ୍ଧାନର ପ୍ରସଙ୍ଗ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଶ୍ୱରେ କରୋନା ମହାମାରୀର ତାଣ୍ଡବ ପାଇଁ ଆମେରିକା ଚୀନକୁ ଦାୟୀ କରି ଆସୁଥିଲା ବେଳେ ବେଜିଂ ଏହାକୁ ବାରମ୍ବାର ଅସ୍ୱୀକାର କରିଚାଲିଛି। ୨୦୨୦ ପ୍ରାରମ୍ଭରେ ଆମେରିକାର ପ୍ରମୁଖ ପ୍ରେସ୍ ସଚିବ କାରାଇନ୍ ଜ୍ୟାଁ-ପିଏରେ କହିଥିଲେ, ଏହି ମହାମାରୀର କାରଣ ଓ ନିରାକରଣ ଲାଗି ଆମେ ଯଥାସାଧ୍ୟ ଉଦ୍ୟମ ଚଳାଇଛୁ। ବିଶେଷକରି ଚୀନ୍ ଏହି ଭୂତାଣୁର ଉତ୍ପତ୍ତିସ୍ଥଳ କି ନୁହେଁ ତାହା ସ୍ପଷ୍ଟ ହେବା ପାଇଁ ଅଧିକ ଅନୁସନ୍ଧାନ କରାଯିବ।

ଅପରପକ୍ଷରେ ଚୀନ୍ ବାଇଡ଼େନଙ୍କ ଏଭଳି ନିର୍ଦ୍ଦେଶରେ ପ୍ରତିକ୍ରିୟାଶୀଳ ହୋଇଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଲ ଲିଜିଆନ୍ କହିଛନ୍ତି, କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ପାଇଁ ବାଇଡ଼େନଙ୍କ ନିର୍ଦ୍ଦେଶ ନିନ୍ଦନୀୟ। ଆମେରିକାର କଳା ଇତିହାସ ସମସ୍ତଙ୍କୁ ଜଣାଅଛି। ଉହାନର ଗବେଷଣାଗାରରୁ କରୋନା ଭୂତାଣୁର ଉତ୍ପତ୍ତି ଘଟିଛି ବୋଲି ଯାହା କୁହାଯାଉଛି, ବେଜିଂ ତାହାକୁ ଖଣ୍ଡନ କରୁଛି।