ବାତ୍ୟା କ୍ଷୟକ୍ଷତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୋଦୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ୟାସ’ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ପହଂଚିଛନ୍ତି। ଏନେଇ ଭୁବନେଶ୍ୱର ଏୟାରପୋର୍ଟରେ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ସଚିବ, ପୁଲିସ ଡିଜି ଓ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ସମୀକ୍ଷା ପରେ ମୋଦୀ ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକର କ୍ଷତିଗ୍ରସ୍ତ ଅଞ୍ଚଳର ସର୍ଭେରେ ଯାଇଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଓଡ଼ିଶା ସହ ଅଛନ୍ତି ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶା ଦୀର୍ଘସୂତ୍ରୀ ସମାଧାନ ଦାବି କରିଛି। ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଛନ୍ତି। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା, ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରାଯାଇଛି। ଏଥିସହିତ ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା, ୭ରୁ ୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତା’ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଆଗାମୀ ୭ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।