ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟନ ହେଲେ ନ୍ୟୁୟର୍କ ଜିଲ୍ଲା ଜଜ, ମନୋନୀତ କଲେ ବାଇଡେନ

ଓ୍ବାଶିଂଟନ,ଏଜେନ୍ସି: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ବ ପ୍ରଦାନ କରିଛି ବାଇଡେନ ପ୍ରଶାସନ । ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟନଙ୍କୁ ନ୍ୟୁୟର୍କ ଜିଲ୍ଲା ଜଜ ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ଜୋ ବାଇଡେନ ଅରୁଣଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ମନୋନୀତ କରିଛନ୍ତି । ନ୍ୟୁୟର୍କ ସହରର ଦକ୍ଷିଣ ଜୋନ ଜିଲ୍ଲା କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବେ ଅରୁଣ ।

ଅନେକ ଆଶାୟୀ ଏହି ପଦବୀ ପାଇଁ ଆବେଦନ କରିଥିଲେ । ଏମାନଙ୍କ ଚୟନ ପ୍ରଣାଳୀ ହ୍ବାଇଟ ହାଉସ ପକ୍ଷରୁ କରାଯାଇଥିଲା । ତେବେ ଏହି ପର୍ଯ୍ୟାୟରେ ଅରୁଣଙ୍କୁ ଚୟନ କରାଯାଇଛି । ଅରୁଣ ସୁବ୍ରମଣ୍ୟନ ୨୦୦୪ ରେ ପ୍ରତିଷ୍ଠିତ କଲମ୍ବିଆ ଲ ସ୍କୁଲରୁ ଆଇନ ଶିକ୍ଷାରେ ଡକ୍ଟରେଟ ହାସଲ କରିଛନ୍ତି । ସେ ପୂର୍ବରୁ ୨୦୦୧ ମସିହାରେ ଓ୍ବେଷ୍ଟର୍ଣ୍ଣ ରିଜର୍ଭ ବିଶ୍ବବିଦ୍ୟାଳୟରୁ ମଧ୍ୟ ଶିକ୍ଷା ଲାଭ କରି ସାରିଥିଲେ । ତେବେ ସେ ଆଇନ ଶିକ୍ଷା ପରେ ୨୦୦୭ରୁ ଆମେରିକା ନ୍ୟାୟିକ ବିଭାଗରେ ଏକାଧିକ ପଦବୀରେ କାର୍ଯ୍ୟ କରି ସାରିଛନ୍ତି । ପୂର୍ବରୁ ପ୍ରଥମେ ସେ ଜଣେ ଲ କର୍କ ଭାବେ ଓ ପରେ ପଦୋନ୍ନତି ପାଇ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ ମଧ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।

ଏବେ ରାଷ୍ଟ୍ରପତି ବାଇଡେନଙ୍କ ଅନୁମୋଦନ ପାଇବା ପରେ ସେ ଜିଲ୍ଲା କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟିକ ବ୍ୟବସ୍ଥାରେ ଜଣେ ବିଚାରପତି ଭାବେ କାର୍ଯ୍ୟ କରିବାରେ ଅରୁଣ ସୁବ୍ରମଣ୍ୟନ କେବଳ ପ୍ରଥମ ଭାରତୀୟ ବଂଶୋଦ୍ଭବ ନୁହନ୍ତି ବରଂ ପ୍ରଥମ ଦକ୍ଷିଣ ଏସୀୟ ବଂଶୋଦ୍ଭବ ମଧ୍ୟ ।