ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ପଞ୍ଚାୟତର ସୀଙ୍ଗାରି ଗାଁର ବିରଞ୍ଚି ଗୌଡ଼ ଓ ପତ୍ନୀ ଦୀପିକା ଗୌଡ଼ଙ୍କ ପୂଜା ଘରେ ଏକ ଅଲୌକିକ ଘଟଣା ଘଟିଛି । ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ ଏହା ଅନେକଙ୍କ ଆଖି ଦେଖା କଥା । ସବୁଦିନ ଭଳି ବିରଞ୍ଚି ସାଇ ବାବାଙ୍କ ପୂଜାର୍ଚ୍ଚନା ସାରି ନିକଟସ୍ଥ ଆଗୂଳ ଗ୍ରାମକୁ କାମ କରିବାକୁ ଯାଇଥିଲେ । ସ୍ତ୍ରୀ ଦୀପିକା ଫୋନ୍ କରି ବାବାଙ୍କ କେଶ ମଧ୍ୟରେ କିଛି କିଛି ସ୍ଥାନ ଧଳା ଦେଖାଯାଉଛି ବୋଲି କହିଥିଲେ । ଏହା ଶୁଣି ମୂଷା ବୋଧେ ବାବାଙ୍କ ଫଟୋ ରାମ୍ପୁଡ଼ି ଦେଇଛି ବୋଲି ବିରଞ୍ଚି ଭାବିଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖିବାରୁ ସତରେ ବାବାଙ୍କ କେଶରୁ ବିଭୂତି ଝରୁଥିଲା । ଏ ବିଷୟକୁ ନେଇ ସେ ତୁରନ୍ତ ସତ୍ୟସାଇ ସମାଜକୁ ଜଣାଇବାରୁ ବାବାଙ୍କ ଭକ୍ତଙ୍କ ଜନସମାଗମ ସେଠାରେ ବଢ଼ିବାକୁ ଲାଗିଥିଲା । ଘଟଣାଟି ଆଜକୁ ୬ ଦିନ ପୂର୍ବର ହୋଇଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲାରୁ ଅନେକ ସାଇ ଭକ୍ତ ବିରଞ୍ଚିଙ୍କ ଘରକୁ ଆସି ଏହି ଅଲୌକିକ ଦୃଶ୍ୟକୁ ଦେଖୁଛନ୍ତି । କଥା ପ୍ରଘଟ ହେବା ପରେ ଜଣେ ହେତୁବାଦୀ ଲୋକ ଏକଥାକୁ ବିଶ୍ୱାସ ନକରି ଏକ ସାଇ ବାବାଙ୍କ ଫଟୋ ଆଣି ସେହି ପୂଜା ଘରେ ରଖିବାରୁ ସେଥିରୁ ମଧ୍ୟ ବିଭୂତି ଝରିଥିବା ଶୁଣିବାକୁ ମିଳିଛି।
ଉକ୍ତ ଘଟଣାର ସତ୍ୟାସତ୍ୟ ପରଖିବାକୁ ଆମ ପ୍ରତିନିଧି ସୀଙ୍ଗାରି ଗ୍ରାମରେ ପହଞ୍ଚି ବିରଞ୍ଚି ଗୌଡ଼ ଓ ତାଙ୍କ ସ୍ତ୍ରୀକୁ ପଚାରିବାର ପୂଜା ଘରେ ବାବାଙ୍କ ଫଟୋରୁ ବିଭୂତି ବାହାରୁଥିବା ଦେଖି ଚକିତ ହୋଇଥିଲେ । ଗ୍ରାମବାସୀଙ୍କ କହିବାନୁସାରେ, ଆଜିକୁ ୪ ମାସ ପୂର୍ବେ ସତ୍ୟସାଇ ସମାଜ ତରଫରୁ ଏକ ଧାର୍ମିକ ଅନୁଷ୍ଠାନ ଉକ୍ତ ଗାଁରେ ହୋଇଥିଲା । ସେଇଠୁ ଅନୁପ୍ରାଣିତ ହୋଇ ସନ୍ତାନହୀନ ଗୌଡ଼ ଦମ୍ପତି ଭଗବାନ ସତ୍ୟସାଇ ବାବାଙ୍କ ଏକ ଫଟୋ ଆଣି ଘରେ ରଖି ବହୁ ବିଶ୍ୱାସ ଓ ଭକ୍ତିରେ ପୂଜାର୍ଚ୍ଚନା କରୁଥିଲେ । ଆଉ ଆଜି ଗୌଡ଼ ଦମ୍ପତିଙ୍କ ଭଙ୍ଗା କୁଡ଼ିଆରେ ଭଗବାନଙ୍କ ଅଲୌକିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।