ଭାରତକୁ ଶ୍ରେଷ୍ଠ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଜାରି: ସମୀର

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ସଭାପତି ସମୀର ମହାନ୍ତି । ୯୩ ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଥିଲେ । ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନ୍ୟ ବିଜେପି ନେତା ଓ କର୍ମୀଙ୍କ ସହ ମିଶି ରାଜ୍ୟ ବିଜେପି ସଭାପତି ମୋଦୀଙ୍କ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, “ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଆଜି ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କି ବାତ୍‌’ ସ୍ବତନ୍ତ୍ର । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ମନ୍‌ କି ବାତ୍‌’ରେ ଯେଉଁ କଥା କହିଛନ୍ତି । ତାହା ଦେଶବାସୀଙ୍କୁ ପ୍ରେରଣା ଦେବ । ମୋଦୀ ସାଙ୍କେତିକ ଭାଷା ବିଷୟରେ କହି ଦେଶର ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିଛନ୍ତି । ସେହିପରି ଟିବି ମୁକ୍ତ ଭାରତ ପାଇଁ ଯେଉଁ ସ୍ଲୋଗାନ ଦେଇଛନ୍ତି । ତାହା ଦେଶବାସୀଙ୍କ ସହଯୋଗରେ ନିଶ୍ଚୟ ସଫଳ ହେବ । ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ପାଇଁ ମଧ୍ୟ ଖେଳାଳୀଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି । ଭାରତକୁ ଶ୍ରେଷ୍ଠ ରାଷ୍ଟ୍ର ଭାବରେ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ସମୟରେ ଚେଷ୍ଟା କରୁଛନ୍ତି ।”