ଅବ୍ୟବସ୍ଥା ଘେରରେ ଭଟାପଲା ସ୍କୁଲ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ଶିକ୍ଷା ବିଭାଗର ବିକଳ ଚିତ୍ର ସାମ୍ନାକୁ ଆସିଛି । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ ଅନେକ ସ୍କୁଲକୁ ୫ଟିରେ ସାମିଲ କରୁଛନ୍ତି ସତ ହେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଭଟାପଳା ଗ୍ରାମରେ ୧୯୬୬ ମସିହାରେ ନିର୍ମିତ ହୋଇଥିବା ସ୍କୁଲକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୬୦ ହୋଇଥିବାବେଳେ ଶିକ୍ଷକଙ୍କ ସଂଖ୍ୟା ମାତ୍ର ୪ ରହିଛି । ଯଦି ଶ୍ରେଣୀଗୃହ କଥା କହିବା ତା’ହେଲେ ୮ଟା ଶ୍ରେଣୀକୁ ମାତ୍ର ୪ଜଣ ଶିକ୍ଷକ କିପରି ପରିଚାଳିତ କରୁଥିବେ ତାହା ଏଥିରୁ ହି ସ୍ପଷ୍ଟ ଜଣାପଡୁଛି । ବହୁ ସରକାରୀ ଅଧିକାରୀ ଏବଂ ନେତାମାନେ ଉକ୍ତ ସ୍କୁଲକୁ ଆସୁଥିଲେ ହେଁ ଏହି ସ୍କୁଲର ସମସ୍ୟା କଥା ଦିନେ ହେଲେ ବିଚାର କରିନାହାନ୍ତି ବୋଲି ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ସ୍କୁଲରେ ଅନେକ ସମସ୍ୟା ଲାଗି ରହିଥିବାରୁ ଅଭିଭାବକମାନେ ବେସରକାରୀ ସ୍କୁଲ ମୁହାଁ ହେଉଛନ୍ତି । ଫଳରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗୁଛି ଉକ୍ତ ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ପରିବେଶ ମଧ୍ୟ ନାହିଁ । ତେଣୁ ଯଥାଶୀଘ୍ର ଉକ୍ତ ସ୍କୁଲର ସମସ୍ୟା ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।