ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ଦସ୍ତଖତ ଅଭିଯାନ: ୫୨ ହାଜର ଦସ୍ତଖତ ସଂଗୃହୀତ ହେଲାଣି

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟର ଶ୍ରେଷ୍ଠ ପ୍ରଶାସକ, ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ ଦାବିରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବି ଜଣାଇବା ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍କାନ’ ପକ୍ଷରୁ ଆରମ୍ଭ କରାଯାଇଥିବା ଦସ୍ତଖତ ଅଭିଯାନ ଆଜି ଦେବଗଡ଼ ପୌରାଞ୍ଚଳରେ ପହଞ୍ଚିଛି। ସ୍ଥାନୀୟ ପ୍ରଧାନପାଟ ରୋଡ଼ ସ୍ଥିତ ମ୍ୟୁନସିପାଲଟି ଛକ ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ‘ସ୍କାନ’ର ଅଧ୍ୟକ୍ଷ ସୁଧାଂଶୁ ମହାରଣା ଓ ରାଜ୍ୟ ସଂଯୋଜକ ସରୋଜ କୁମାର ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ତତ୍ୱର ବାସ୍ତବ ରୂପ ସମ୍ପର୍କରେ ଉଦବୋଧନ ଦେବାସହ ନବୀନ ବାବୁଙ୍କ ଦକ୍ଷ ନେତୃତ୍ୱକୁ ସାରା ବିଶ୍ୱ ସ୍ୱୀକାର କରିବା ସହ ଭାରତ ସରକାର ଏବଂ ଆନ୍ତର୍ଜାତୀୟ ସ୍ଥରରେ ମିଳିଥିବା ବିଭିନ୍ନ ପୁରସ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧୀ ପ୍ରଦାନ ପାଇଁ ବହୁ ଜନସାଧାରଣ ନିଜର ସମ୍ମତିକୁ ଦସ୍ତଖତ ଜରିଆରେ ପ୍ରତିଫଳିତ କରିଥିଲେ। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଜାନୁଆରୀ ୧୫ ତାରିଖରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଗାମୀ ୫ ମାସ ମଧ୍ୟରେ ଏହି ଅଭିଯାନ ରାଜ୍ୟର ୧୪୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୫ ମହାନଗର ନିଗମ, ୩୪ ମ୍ୟୁନସିପାଲଟି, ୬୭ ଏନଏସି, ସହ ୩୧୪ ବ୍ଲକର ୫୩ ହାଜର ୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମହାରଣା ସୂଚନା ଦେଇଛନ୍ତି। ଏଥିସହ ଗତ ୧୦ ଦିନ ମଧ୍ୟରେ ୫୨ ହାଜର ଦସ୍ତଖତ ସଂଗୃହୀତ ହୋଇଥିବା ସଂଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ସୌମ୍ୟରଞ୍ଜନ ବେହେରା, ଗନି ଦେବ, କୁନମୁନ ଦେବ ସମେତ ବହୁ ଯୁବ ସ୍ୱେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ।