‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଆଜି ସାଂସଦ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି । ରାହୁଲ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରୁ ପାର୍ଟିର ଏହି ଯାତ୍ରାକୁ ସବୁଜ ସଙ୍କେତ ଦେଖାଇଛନ୍ତି । ୩,୫୦୦ କିମିର ଏହି ପଦଯାତ୍ରାକୁ ୧୫୦ ଦିନରେ ପୂରଣ କରାଯିବ ଏବଂ ଏହାର ଶେଷ ପର୍ଯ୍ୟାୟ କଶ୍ମୀରରେ ହେବ । ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ସୋନିଆ ଏଥିରେ ଭାଗ ନେବେ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କନ୍ୟାକୁମାରୀର ‘ଗାନ୍ଧୀ ମଣ୍ଡପମ’ରେ ଏକ ପ୍ରାର୍ଥନା ସଭାରେ ମଧ୍ୟ ସାମିଲ ହୋଇଥିଲେ । ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜାତୀୟ ପତାକା ହସ୍ତାନ୍ତର କରିଥିଲେ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ କନ୍ୟାକୁମାରୀରେ ବିବେକାନନ୍ଦ ରୋକ ମେମୋରିଆଲ, ତିରୁବଲ୍ଲୁବର ମୂର୍ତ୍ତି ଓ କାମରାଜ ମେମୋରିଆଲ ମଧ୍ୟ ଯାଇଥିଲେ । ପଦଯାତ୍ରା ସେପ୍ଟେମ୍ବର ୧୧ରେ କେରଳ ପହଞ୍ଚିବ ।