ଭୀମ ଆର୍ମି ଓ ବିଏସପି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୀମ ଆର୍ମି ଓ ବିଏସପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବିଶେଷ କରି ସମ୍ବଲପୁର, ବଲାଙ୍ଗିର ଓ ରେଢ଼ାଖୋଲରେ ପ୍ରଭାବ ଦେଖା ଦେଇଛି। ସୁପ୍ରିମକୋର୍ଟ ଆରକ୍ଷଣ ବିରୋଧରେ ରାୟ ଦେବା, କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ ଓ ନାଗରକିତା ପଞ୍ଜିକରଣ ଆଇନକୁ ବିରୋଧ କରି ଭୀମ ଆର୍ମି ସଦସ୍ୟ ଏପରି ବନ୍ଦ ଡାକରା ଦିଆଯାଇଛି। ତେବେ ଏହାର ପ୍ରଭାବ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ବିଏସପି ପକ୍ଷରୁ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିରେ ବିଏସପି କର୍ମୀମାନେ ଭୁବନେଶ୍ୱରର ରସୁଲଗଡ଼ ରାସ୍ତା ଉପରେ ଟାୟାର ଜାଳି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

 

ଏହି ପରିପ୍ରେକ୍ଷୀରେ ସମ୍ବଲପୁର କ୍ଷେତରାଜପୁର ରେଳଷ୍ଟେସନରେ ଭୀମ ଆର୍ମି ସଦସ୍ୟ ସମ୍ବଲପୁର-ପୁରୀ ଇଂଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ। ଫଳରେ ଟ୍ରେନ ଗୋଟିଏ ଘଣ୍ଟା ଷ୍ଟେସନରେ ଅଟକିଥିଲା। ସେହିପରି ଏନେଇ ଭୀମ ଆର୍ମି ସଦସ୍ୟ ପିକେଟିଂ କରି ବନ୍ଦ କରିଛନ୍ତି।

ଢେଙ୍କାନାଳରେ ଭୀମ ଆର୍ମି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ବନ୍ଦ କରାଯିବାରୁ ଗାଡି ଚଳାଚଳ ଠପ୍ ହୋଇଯାଇଛି। ବଲାଙ୍ଗିର ଓ ଝାରସୁଗୁଡାରେ ପିକେଟିଂ କରି ଭୀମ ଆର୍ମି ସଦସ୍ୟ ଦୋକାନବଜାର ବନ୍ଦ କରିଛନ୍ତି। ଗାଡି ଚଳାଚଳ ମଧ୍ୟ ଏଠାରେ ପ୍ରଭାବିତ ହୋଇଛି। ସମ୍ବଲପୁରରେ ମଧ୍ୟ ଭୀମ ଆର୍ମି ସଦସ୍ୟ ପିକେଟିଂ କରି ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ କରିଛନ୍ତି। ସେପଟେ ବନ୍ଦ ପାଳନ ପାଇଁ ୫୩ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଶହ ଶହ ଗାଡି ମୋଟର ଠିଆ ହୋଇରହିଛି।