ଭଞ୍ଜନଗର,ଏନ୍ଏନ୍ଏସ୍ : ଏକ ବିଦେଶୀ ମଦ ଭର୍ତି ଟ୍ରକ୍ ଗାଁ’ଦାଣ୍ଡରେ ଠିଆ ହୋଇଥିବା ନେଇ ଉପଜିଲ୍ଲାପାଳଙ୍କୁ ସୁଚନା ମିଳିବାପରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମଦଭର୍ତ୍ତି ଟ୍ରକକୁ ଧରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଟ୍ରକ୍ ଡ୍ରାଇଭର ବିଦେଶୀ ମଦ ସମ୍ପର୍କରେ ଆଦୌ କିଛି ସୂଚନା ଦେଇ ନପାରିବାରୁ ଏଥିରେ ସନ୍ଦେହ ପ୍ରକଟ କରି ଉପଜିଲ୍ଲାପାଳ ତୁରନ୍ତ ଭଞ୍ଜନଗର ଥାନାକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଦେଶୀ ମଦଭର୍ତି ଟ୍ରକକୁ ଥାନାକୁ ଆଣି ଗାଡ଼ି ଚାଳକକୁ ଅଟକ ରଖି ପଚରା ଉଚ୍ଚରା ଆରମ୍ଭ କରିଥିବା ଜଣାପଡିଛି।
ମିଳିଥିବା ସୁଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଧୁମୁଛାଇ ପଞ୍ଚାୟତ ଅନ୍ତର୍ଗତ କେବିରିବରପୁର ଗ୍ରାମରେ ଏକ ବିଦେଶୀ ମଦ ଭର୍ତି ଟ୍ରକ୍ ଗାଁ’ ଦାଣ୍ଡରେ ଠିଆ ହୋଇଥିବା ନେଇ ସୂଚନା ପାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ତୁରନ୍ତ ସଦଳବଳେ ସେଠାରେ ପହଞ୍ଚିଥିଲେ। ପରେ ସେ ଟ୍ରକ୍ ସମ୍ପର୍କରେ ସେଭଳି କିଛି ସନ୍ତୋଷଜନକ ଉତ୍ତର ନପାଇବାରୁ ଉକ୍ତ ଟ୍ରକକୁ ଥାନାକୁ ହସ୍ତାନ୍ତର କରି ଏହାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଟ୍ରକଟି କାହିଁକି ଓ କେଉଁଭଳି ପରିସ୍ଥିତିରେ କେବିରିବରପୁର ଗାଁ’ ଭିତରେ ରହିଥିଲା ଓ ଏଥିରେ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ବିଦେଶୀ ମଦ କେଉଁଠୁ ଆସିଥିଲା ତାର ସରଜମିନ ତଦନ୍ତ ଆରମ୍ଭ କରାଯାଇଛି। ଟ୍ରକ୍ ଡ୍ରାଇଭର ଓ ହେଲପର କେବିରିବରପୁର ଗ୍ରାମର ହୋଇଥିବାରୁ ଏମାନେ କରୋନା ପ୍ରଭାବରୁ ଟ୍ରକ୍ ଚଳାଚଳ ବନ୍ଦ କାରଣରୁ ହୁଏତ ନିଜ ଗ୍ରାମରେ ଟ୍ରକଟିକୁ ରଖିଥାଇପାରନ୍ତ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ଲକ୍ ଡାଉନ୍ କାରଣରୁ ଦୀର୍ଘଦିନରୁ ଟ୍ରକ୍ ଚଳାଚଳ ବନ୍ଦ ରହିଥିବାବେଳେ ଏହି ବିଦେଶୀ ମଦ ଭର୍ତି ଟ୍ରକଟି ଏଠାରେ କିଭଳି ଅଟକିଲା ଓ ଏତେଦିନ ଧରି ଟ୍ରକଟି କେଉଁଠି ଥିଲା ତାକୁ ନେଇ ମଧ୍ୟ ଖୋଳତାଡ ଆରମ୍ଭ କରୁଛି ଭଞ୍ଜନଗର ପୋଲିସ।
ସୂଚନାଯୋଗ୍ୟଯେ, ଏବେ ଲକ୍ ଡାଉନ ଅବଧିରେ ଉଭୟ ଦେଶୀ ବିଦେଶୀ ସରକାରୀ ମଦଦୋକାନ ବନ୍ଦ ରହିଥିବାବେଳେ ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଅଧିକ ଚଢାଦରରେ ମଦ ବ୍ରିକି ଏହାର ଫାଇନା ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏଣୁ ହୁଏତ ଏହି ବିଦେଶୀ ମଦ ଭର୍ତି ଟ୍ରକଟି ଗାଁ’ରେ ରଖି କିଛି ମଦ ବେପାରୀ ଏଥିରୁ ମଦ ବିକ୍ରିକରି ବେଶ ଫାଇଦା ଉଠାଇଥାଇପାରନ୍ତି। ତେବେ ସବୁକିଛି ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି।