ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ଭାନପୁର ପାଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୫ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କ୍ରିକେଟ୍ କ୍ଲବ୍ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାନପୁର ସରପଞ୍ଚ ରୀନ ଜାଲ ଓ ସମ୍ମାନୀତ ଅତିଥିଭାବେ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଦୟା ସାଗର ମର୍ହି, ଲଚ୍ଛମନ୍ କାଲସାଏ ଓ ସରପଞ୍ଚ ପ୍ରତିନିଧି ଡିଲେଶ୍ୱର ଜାଲ ପ୍ରମୁଖ ଯୋଗଦେଇ ଫିତା କାଟିି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଭାନପୁର ଓ ପୁତୁଲାମହୁଲ ମଧ୍ୟରେ ଖେଳା ଯାଇଥିଲା । ପୁତୁଲାମହୁଲ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଙ୍ଗ କରି ୧୨ ଓଭରରେ ୭ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାନପୁର ଦଳ ୭ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୪୮ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପୁତୁଲାମହୁଲ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା । ଆମ୍ପାୟାର ରୂପେ ହୀରାଧର ଶବର ଓ ନୀଳକାନ୍ତ ପାତ୍ର ଖେଳ ପରିଚାଳନା କରିଥିବାବେଳେ ପ୍ରଶାନ୍ତ ମେହେର ସ୍କୋରର ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଆଶିଷ ପାଣିଗ୍ରାହୀ ଓ ରଞ୍ଜିତ ମେହେର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାଣିଗ୍ରାହୀ, ପପୁ ଭୁଏ, ନରେଶ ବାରିକ, କେଦାର ବାରିକ, ଉତ୍ତମ ମାଝୀ, ନବୀନ ଭୁଏ, ଓଁକାର ଭୋଇ, ସୁବିତ୍ ଭୋଇ, ବିଦ୍ୟା ମେହେର ଓ ନିକୁ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୮ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି ।