ପଞ୍ଜାବ: ପଞ୍ଜାବରେ ଆମ ଆଦମି ପାର୍ଟି ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ଆସନ୍ତା ୧୬ ତାରିଖରେ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାପୂର୍ବରୁ ୧୩ ତାରିଖରେ ଭଗବନ୍ତ ମାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅମୃତସରରେ ରୋଡ ଶୋ’ କରିବେ । ଭଗବନ୍ତ ଏବେ ଦିଲ୍ଲୀରେ ଥିବାବେଳେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ସମୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଓ ଆପ୍ ପ୍ରବକ୍ତା ରାଘବ ଚଢ଼ା ମଧ୍ୟ ଉପସ୍ଥିତ ଥିଲେ ।
ଉକ୍ତ ଭେଟଘାଟ ପରେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ମୋ ସାନ ଭାଇ ଭଗବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଲାଗି ନିମନ୍ତ୍ରଣ କରିବାକୁ ଆଜି ସେ ଘରକୁ ଆସିଥିଲେ । ଭଗବନ୍ତ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଜାବବାସୀଙ୍କ ସମସ୍ତ ଆଶକୁ ପୂରଣ କରିବେ ବୋଲି ମୁଁ ଆଶା କରୁଛି ।