ଭାରତ-ଦକ୍ଷିଣ ଆଫ୍ରିକା ୫ମ ଟି-୨୦: ବର୍ଷା ଯୋଗୁଁ ଖେଳ ରଦ୍ଦ, ସିରିଜ ୨-୨ରେ ବରାବର

ବେଙ୍ଗାଲୁରୁ,ଏଜେନ୍ସି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ଉପରେ ସଭିଙ୍କ ନଜର ଥିଲା। ଆଶା କରାଯାଉଥିଲା ମ୍ୟାଚ୍ ହେବ ଏବଂ କୌଣସି ଦଳ ସିରିଜ୍ ଜିତିବ। ହେଲେ ବର୍ଷା ସବୁ ବିଗାଡି ଦେଇଛି। ବର୍ଷାରେ ଧୋଇଗଲା ବେଙ୍ଗାଲୁରୁ ଟି-୨୦। କ୍ରମାଗତ ବର୍ଷା ଲାଗି ରହିବାରୁ ମ୍ୟାଚ୍ ରଦ୍ଦ କରିବାକୁ ପଡିଛି। ଏଥିସହ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୨-୨ ସହିତ ଡ୍ର ରହିଛି। ଦକ୍ଷିଣ ଆଫ୍ରିକା ଦିଲ୍ଲୀ ଏବଂ କଟକ ଟି-୨୦ ଜିତିଥିବା ବେଳେ ଭାରତ ବିଶାଖାପାଟଣା ଏବଂ ରାଜକୋଟ୍ ଟି-୨୦ ମୁକାବିଲା ଜିତି ସିରିଜକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା।

ବେଙ୍ଗାଲୁରୁରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ବ୍ୟାଟିଂ କରିବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଥିଲା। ମ୍ୟାଚ୍‌ରେ କେବଳ ୩.୩ ଓଭର ବଲ୍ ପଡି ପାରିନଥିଲା। ଏହା ପରେ ବର୍ଷା ଲାଗି ରହିଥିଲା। ଭାରତୀୟ ଦଳ ଦୁଇ ଓ୍ଵିକେଟ୍ ହରାଇ ୨୮ ରନ କରିଥିଲା। ଇଶାନ କିଷନ(୧୫) ଏବଂ ଋତୁରାଜ ଗାଏକଓ୍ଵାଡ(୧୦) ଆଉଟ୍ ହୋଇଥିଲେ। ଶ୍ରେସୟ ଆୟର(୦) ଏବଂ ଅଧିନାୟକ ଋଷଭ ପନ୍ତ(୧) ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଙ୍ଗିଡି ୬ ରନ ଦେଇ ୨ଟି ସଫଳତା ପାଇଥିଲେ।