ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସିନ୍ଧିଗୁଡା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଲୁ ଶବକୁ ଜଗି ରହିଥିଲା। ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମର ଗୋରୀ ଅମନାତ୍ୟ ୭୦ ତିନିଦିନ ପୂର୍ବେ ସିନ୍ଧିଗୁଡା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ତେବେ ସନ୍ଧ୍ୟା ପୂର୍ବରୁ ଗୋରୀ ଆଉ ଘରକୁ ଫେରିନଥିଲେ। ପରିବାର ଲୋକଙ୍କ ପକ୍ଷରୁ ଏନେଇ ଚାରିଆଡେ ବହୁ ଖୋଜାଖୋଜି କରିଥିଲେହେଁ ଗୋରୀଙ୍କ ସନ୍ଧାନ ମିଳିନଥିଲା। ଆଜି ସକାଳୁ ସିନ୍ଧିଗୁଡା ଜଙ୍ଗଲରେ ଏକ ଭାଲୁ ଲୋକଙ୍କ ନଜରକୁ ଆସିଥିଲା ଏବଂ ଭାଲୁ ରହିଥିବା ସ୍ଥାନରେ ଏକ ଶବ ପଡ଼ିଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଜଙ୍ଗଲକୁ ଯାଇଥିଲେ ହେଁ ଭାଲୁ ଜଗି ରହିଥିବା କାରଣରୁ ଶବକୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ। ଏନେଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀଙ୍କ ସମେତ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲ କର ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡାଇ ଶବ ଜବତ କରିଛନ୍ତି। ତେବେ ବୃଦ୍ଧାଙ୍କର ଭାଲୁ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।