ବିସିସିଆଇ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ,ଏଜେନ୍ସି: ବିସିସିଆଇ ସମ୍ପାଦକ ଅଭିତାଭ ଚୌଧୁରୀ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ଏବଂ ଏସିଆନ୍ କ୍ରିକେଟ କାଉନ୍ସିଲ (ଏସିସି) ବୈଠକରେ ଯୋଗ ନଦେବା କିମ୍ବା ଏ ସମ୍ପର୍କରେ ଶେଷ ପର୍ଯ୍ୟନ୍ତ ଅବଗତ ନକରାଇବା ଯୋଗୁଁ ବିସିସିଆଇକୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିଲାଗି କମିଟି ଅଫ୍ ଆଡମିନିଷ୍ଟ୍ରେଟର (ସିଓଏ) ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଚୌଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୭୭ ଦିନ ମଧ୍ୟରେ ସେ ତାଙ୍କ ଜବାବ ରଖିବାକୁ ସିଓଏ ଶ୍ରୀ ଚୌଧୁରୀଙ୍କୁ କହିଛନ୍ତି। ଜାରି ହୋଇଥିବା ନୋଟିସ୍‌ ଅନୁଯାୟୀ ଲଣ୍ଡନରେ ଆଇସିସିର ବାର୍ଷିକ ବୈଠକ ଗତ ଜୁଲାଇ ୧୪ରେ ଅନୁଷ୍ଠିତ ହେବାର ଥିଲା। ଏ ସମ୍ପର୍କରେ ଆଇସିସି ବିସିସିଆଇକୁ ଜଣାଇଥିଲା। କିନ୍ତୁ ଶ୍ରୀ ଚୌଧୁରୀ ଏହି ବୈଠକରେ ଯୋଗ ଦେବାକୁ ଯାଇପାରିବେ ନାହିଁ ବୋଲି ମେଲଯୋଗେ ଆଇସିସିକୁ ଜଣାଇଥିଲେ।

ଏହା ଜଣାପଡ଼ିବା ପରେ ଆଉ କେହି ଏହି ବୈଠକରେ ଯୋଗ ଦେଇ ପାରି ନଥିଲେ। ସେହିପରି ଚଳିତମାସ ୩ରେ ଏସିସିର ବୈଠକ ବ୍ୟାଙ୍କକକ୍‌ରେ ହେବାର ଥିଲା। ଏଥିଲାଗି ଚୌଧୁରୀଙ୍କୁ ଯୋଗ ଦେବା ଲାଗିସିଓଏ ମଧ୍ୟ ଅନୁମତି ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବୈଠକ ଯୋଗ ଦେଇପାରିବେ ନାହିଁ ବୋଲି ଶ୍ରୀ ଚୌଧୁରୀ ଜଣାଇଥିଲେ। ଏହା ଜାଣିବା ପରେ ସିଓଏ ଆଉ କାହାରିକୁ ଏହି ବୈଠକରେ ଯୋଗ ଦେବାକୁ କହିପାରି ନଥିଲେ। ଉଭୟ ବୈଠକରେ ଭାରତର କେହି ପ୍ରତିନିଧି ଯୋଗ ଦେଇ ନଥିଲେ। ଯାହା ଫଳରେ ବିସିସିଆଇର ସ୍ୱାର୍ଥରେ ଢେର ଆଞ୍ଚ ଆସିଥିଲା ଏବଂ ସିଓଏ’କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଏହି ଘଟଣାରେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ ବିସିସିଆଇ  କାର୍ଯ୍ୟକାରୀ ସମ୍ପାଦକ ଅଭିତାଭ ଚୌଧୁରୀଙ୍କ ଉପରେ ଖୁବ୍‍ ଖପ୍ପା ହୋଇଛନ୍ତି। ଏକାଧିକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆଦୌ ଭଲ ସମ୍ପର୍କ ନାହିଁ। ଏଥିଲାଗି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିସିସିଆଇ ମହଲରେ ଆଲୋଚନା ହେଉଛି।