ବାୟାପଡ଼ାକୁ ନୂତନ ପଞ୍ଚାୟତ ଦାବିରେ ପ୍ରଜାମେଳି କଲେ ଶହଶହ ଆଦିବାସୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ବିଭିନ୍ନ ମୌଳିକ ସମସ୍ୟା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ ୧୭ ଟି ଗ୍ରାମର ଗ୍ରାମବାସୀ । ଆଜି ଏନେଇ ମାଲକାନଗିରି ଜିଲ୍ଲାର ନାକାମାମୁଢି ପଞ୍ଚାୟତ ଅନ୍ତର୍ଗତ ବାୟାପଡ଼ା ଗ୍ରାମରେ ଏକ ପ୍ରଜାମେଳି କରିଥିଲେ। ନାକାମାମୁଢି ପଞ୍ଚାୟତର ମୁଦୁଲିଗୁଡା ଏବଂ ବାୟାପଡାକୁ ନୂତନ ପଞ୍ଚାୟତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଶହଶହ ଗ୍ରାମବାସୀ ନିଜର ମୌଳିକ ସମସ୍ୟା ନେଇ ନାରା ଦେଇଥିଲେ। ସେମାନେ ୯ଟି ଦାବି ଉପସ୍ଥାପନ କରିଥିଲେ। ଉକ୍ତ ଦାବି ଗୁଡିକ ହେଲା:- ବାୟାପଡ଼ା ଗ୍ରାମଠାରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ସେମାନେ ୫୦ ରୁ ୬୦ କିଲୋମିଟର ଜଙ୍ଗଲ ପଥୁରିଆ ଘାଟି ରାସ୍ତାଦେଇ ଅତିକ୍ରମ କରିବାକୁ ପଡୁଛି ତେଣୁ ବାୟାପଡାକୁ ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଉ। ବର୍ତ୍ତମାନ ବାୟାପଡା ଏବଂ ଟିକରପଡାକୁ ଯେଉଁ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି ତାହା ଅତି ନିମ୍ନମାନର ହେଉଛି ତେଣୁ ସେହି ରାସ୍ତା କୁ ପୁନଃନିର୍ମାଣ କରାଯାଉ। ମେଡିକାଲ ନଥିବାରୁ ଗର୍ଭବତୀ ମହିଳାମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେଣୁ ତୁରନ୍ତ ସେହି ଅଞ୍ଚଳରେ ଏକ ନୂତନ ମେଡିକାଲ ନିର୍ମାଣ କରାଯାଉ, ପାନୀୟଜଳ ବ୍ୟବସ୍ଥା କରାଯାଉ। ପ୍ରତ୍ୟେକ ଗ୍ରାମରେ ସ୍କୁଲ ଅଛି ସତ କିନ୍ତୁ ତାହା ଅବହେଳିତ ଅବସ୍ଥାରେ ପଡି ରହିଛି ଏବଂ ଶିକ୍ଷକମାନେ ମଧ୍ୟ ପ୍ରତିଦିନ ବିଦ୍ୟାଳୟକୁ ଆସୁନାହାନ୍ତି ତେଣୁ ଏହାର କିଛି ସ୍ଥାୟୀ ସମାଧାନ କରାଯାଉ। ରାସ୍ତା ର ସଂଯୋଗ ନଥିବାରୁ ଅଙ୍ଗନବାଡି କର୍ମୀମାନେ ମଧ୍ୟ ଠିକ୍ ସମୟରେ ଶିଶୁ ଏବଂ ଗର୍ଭବତୀଙ୍କ ନିମନ୍ତେ ଆସୁଥିବା ପୁଷ୍ଟିକର ଖାଦ୍ୟ ଯୋଗାଇ ପାରୁନାହାନ୍ତି। ବୃଦ୍ଧ ବୃଦ୍ଧା ମାନଙ୍କୁ ସରକାର ଦେଉଥିବା ଚାଉଳ, ଡାଲି ଏବଂ କିରାସିନି ମିଳୁନଥିବା ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ଗ୍ରାମକୁ ରେଭିନ୍ୟୁ ଗ୍ରାମ କରାଯାଉ ବୋଲି ଅଞ୍ଚଳବାସୀ ପ୍ରଜାମେଳି ମାଧ୍ୟମରେ ଦାବି କରିଛନ୍ତି।