ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌: ଶିଆଳି ଲତାରେ ଦଉଡ଼ି ଓ ବାସ୍କେଟ୍‌ ପ୍ରସ୍ତୁତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁରର ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୨୯ ତାରିଖ ଦିନ ଦର୍ଶକମାନେ ଫେସବୁକ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ମାଙ୍କିଡ଼ିଆ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ଲତାର ଦଉଡ଼ି ଓ ବାସ୍କେଟ ତିଆରି ସଂପର୍କରେ ଜାଣିପାରିବେ। ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

ବିରହୋର୍‌ ଭାବେ ଜଣାଶୁଣା ମାଙ୍କିଡ଼ିଆ ଜନଜାତିମାନେ ଓଡ଼ିଶାର ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର ଜିଲ୍ଲାରେ ବସବାସ କରିଥାନ୍ତି। ଅତୀତରେ ଏହି ଜନଜାତି ଶିକାର ଓ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରୁଥିଲେ। ସେମାନେ ମାଙ୍କଡ଼ ଧରିବାରେ ସିଦ୍ଧହସ୍ତ ଥିବାରୁ ମାଙ୍କିଡ଼ିଆ ନାମରେ ନାମିତ। ସେମାନଙ୍କର ବସତିକୁ ‘ତଣ୍ଡା’ କୁହାଯାଏ। ଶିମିଳିପାଳ ଜଙ୍ଗଲ ମଧ୍ୟରେ ୨୦ରୁ ୩୦ଟି ପତ୍ରକୁଡ଼ିଆର ସମଷ୍ଟି ହେଉଛି ‘ତଣ୍ଡା’। ସଂପ୍ରତି ଏହି ଜନଜାତି ସଂପ୍ରଦାୟର କେତେକ ଗୋଷ୍ଠୀ ଜଙ୍ଗଲ ନିକଟରେ ସ୍ଥାୟୀ ବସତି ସ୍ଥାପନ କରିଛନ୍ତି। ଏହି ଜନଜାତି ସଂପ୍ରଦାୟ ଦୁଇଟି ଭାଗ ଯଥା ଉଥାଲୁ ଓ ଜାଗିରେ ବିଭକ୍ତ।

ମାଙ୍କିଡ଼ିଆମାନେ ଦଉଡ଼ି ପ୍ରସ୍ତୁତ କରିବାରେ ଦକ୍ଷ। ମାଙ୍କିଡ଼ିଆ ଜନଜାତିମାନେ ଶିଆଳି ଲତା ସଂଗ୍ରହ କରି ଏହାର ତନ୍ତୁକୁ ପ୍ରକ୍ରିୟାକରଣ କରିବା ପରେ ବାସ୍କେଟ, ଝୁଲା, ଝୁଡ଼ି, ଶିକା ଆଦି ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିଥାନ୍ତି। ଏହି ଜନଜାତି ସେମାନଙ୍କର ପାରମ୍ପରିକ ଜୀବିକାକୁ ଏବେ ମଧ୍ୟ ଅନୁସରଣ କରୁଛନ୍ତି।