ଭୁବନେଶ୍ୱର ସ୍ଥିତ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆର ପରିଦର୍ଶନ କଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଭୁବନେଶ୍ୱର ସ୍ଥିତ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସଟିପିଆଇ) ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ୧୨ ଜଣ ଓଡିଆ ଷ୍ଟାର୍ଟ ଅପଙ୍କ ସହ ଆଲୋଚନା କରିଥିଲେ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ବାଗଚୀ ଏହି ଅବସରରେ କହିଥିଲେ ଯେ ଏସଟିପିଆଇ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ପ୍ରୋତ୍ସାହନ କରୁଛି ଏବଂ ଓଡିଆ ଷ୍ଟାର୍ଟ ଅପ ମାନଙ୍କ ଦ୍ୱାରା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶ୍ୱସ୍ତରୀୟ ସଫ୍ଟୱେର ଉତ୍ପାଦ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ସେ ୧୨ ଜଣ ଷ୍ଟାର୍ଟ ଅପଙ୍କ ସହ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ ଆଲୋଚନା କରି ଏହି ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ଯେପରି ଅଧିକରୁ ଅଧିକ ଯୁବକ ଯୁବତୀ ସାମିଲ ହେବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ।

ସେଠାରେ ସେ ଏସପିକେ-ମାକ୍‌ ଟେକ୍ନୋଲୋଜି, ଥିଙ୍କର ଇନୋଭେଟିଭ ସଲୁସନ୍ସ, ଏଫଏକ୍ସ ୟୁଏଭି ଟେକ୍ନୋଲୋଜି, କାରବୋନୌଟ, ଇସାମସ, କ୍ୱିବି୭, ପ୍ରାଇମ୍‌, ଡାରୱିନ୍‌ ଏନର୍ଜି ଏବଂ ଥିଙ୍କ୍‌ ଟ୍ୟାଙ୍କର ଏକାଡେମୀ ଷ୍ଟାର୍ଟ ଅପର ବିଭିନ୍ନ ଉତ୍ପାଦ ବୁଲି ଦେଖିଥିଲେ। ସୂଚନା ଥାଉ କି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍‌ ଓଡିଶା ଏହି ଉଦୀୟମାନ ଯୁବ ଷ୍ଟାର୍ଟ ଅପ୍‌ ମାନଙ୍କୁ ଏସଟିପିଆଇର ଇନକ୍ୟୁବେସନ ସେଣ୍ଟରଠାରେ ନିଜର ଉତ୍ପାଦ ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ଏହି ଇଲେକ୍ଟ୍ରୋପ୍ରିନିୟର ପାର୍କରେ କୃଷି ଏବଂ ମତ୍ସ୍ୟ ଚାଷ, ସୌର ଉତ୍ପାଦ, ୟୁଏଭି, ଇଲୁମିନେଟେଡ ଟାଇଲ, ଟ୍ରାଇ ମୋଡ୍‌ ଡ୍ରୋନ୍‌, ସ୍‌ୟଂଚାଳିତ ୟୁଭିସି ବିଶୋଧନ ରୋବୋଟ୍‌ ଓ ଔଷଧ ବିତରଣ ଯନ୍ତ୍ର, ଅତ୍ୟାଧୁନିକ ଆଇଓଟି ପର୍ଯ୍ୟବେସିତ ପାନୀୟ ଯନ୍ତ୍ର, ଭିୱାନ ଟାଇଲ ଭଳି ଉତ୍ପାଦ ଆମ ଓଡିଆ ଯୁବ ଷ୍ଟାର୍ଟ ଅପଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ଗସ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ।