ଭାରତ ସ୍କାଉଟ୍‌ସ୍ ଓ ଗାଇଡ୍‌ସ୍ ସଂଗଠନ ଦ୍ୱାରା ବେସିକ୍ ତାଲିମ ଶିବିର

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ତାଲିମ ଶିବିରସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ (ଉଚ୍ଚବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ) ମାନଙ୍କ ପାଇଁ ଏକାଦିକ୍ରମେ ଦୁଇଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଅଛି। ଉକ୍ତ ଶିବିରରେ ଅନୁଗୁଳ, ବୌଦ୍ଧ, ଭୁବନେଶ୍ୱର, କଟକ, ଦେବଗଡ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡା, ଖୋର୍ଦ୍ଧା, ମୟୁରଭଞ୍ଜ, ନୂଆପଡା ଏବଂ ରାଉରକେଲା ଆଦି ଜିଲ୍ଲାରୁ ୧୦୨ ଜଣ ସ୍କାଉଟ୍‌ ମାଷ୍ଟର ଏବଂ ୪୧ ଜଣ ଗାଇଡ୍ କ୍ୟାପଟେନ ତାଲିମ ନେବା ପାଇଁ ଯୋଗଦାନ କରିଛନ୍ତି।

ଗତ ୨୫ ତାରିଖ ଦିନ ରାଜ୍ୟ ମୁଖ୍ୟ କମିସନର କାଳିପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସ୍କାଉଟ୍‌ ଓ ଗାଇଡ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ସହିତ ସେମାନଙ୍କୁ ରାଜ୍ୟ ପୁରସ୍କାର ପାଇବା ଲାଗି ଠିକ୍ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଛାତ୍ରଛାତ୍ରୀମାନଙ୍କୁ ଭାଇ ଭଉଣୀର ସ୍ନେହ ଦେଇ ସ୍କାଉଟ ଓ ଗାଇଡ୍‌ର ମୂଳ ତତ୍ତ୍ୱଭାବେ ଶିକ୍ଷାଦାନ କରି ସେମାନଙ୍କ ଚରିତ୍ର ସୁଧାରିବା ସକାଶେ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଗତକାଲି ଜାତୀୟ କାର୍ଯ୍ୟାଳୟରୁ ଆସିଥିବା ମେମ୍ବରସିପ୍ ଗ୍ରୋଥ ପ୍ରକଳ୍ପ ପରିଚାଳକ ଶରତ ରାଜ ଯୋଗଦେଇ ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ପରିଚାଳିତ Online Youth Management System କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ପହଞ୍ଚାଇବା ପାଇଁ ଜିଲ୍ଲାର ଦକ୍ଷ ସ୍କାଉଟମାଷ୍ଟର ଓ ଗାଇଡ୍‌କ୍ୟାପଟେନ ମାନଙ୍କୁ ସମ୍ପୂର୍ଣ୍ଣ ଅବଗତି କରିବା ନିମନ୍ତେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ଏହି କର୍ମଶାଳାରେ ଯୋଗଦାନ କରି ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର, କବ୍ ଓ ବୁଲ୍‌ବୁଲ୍‌ମାନଙ୍କର ଅନ୍‌ଲାଇନ୍ କିପରି ସହଜରେ ରେଜିଷ୍ଟ୍ରେସନ କରିପାରିବେ ସେହି ବିଷୟରେ ତାଲିମ ଦିଆଯାଇଛି। ଉକ୍ତ ଶିକ୍ଷା ଶିବିର ସମାପ୍ତ ପରେ ନିଜ ନିଜ ଜିଲ୍ଲାରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ସଫଳତାର ସହ ବିଶ୍ୱ ସଂଗଠନର ଉକ୍ତ ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଶ୍ରୀ ରାଜ କହିଥିଲେ।

ସ୍କାଉଟ କମିସନର ତଥା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଅଶୋକ କୁମାର ରଥ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ସମସ୍ତ ଶିବିରାର୍ଥୀ ମାନଙ୍କୁ ସମାଜ ଲାଗି କିଛି ଭଲ କରିବାର ମଉକା ଛାଡିବା ଉଚ୍ଚିତ୍ ନୁହେଁ ବୋଲି କହିଥିଲେ। ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ସଂଗଠନକୁ ଆହୁରି ମଜଭୁତ୍ କରୁଥିବାରୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।