ଏ ବର୍ଷ ବି ହେବନି ପ୍ରସିଦ୍ଧ ବାରୁଣୀ ମେଳା, ଦଶ୍ୱାଶମେଧ ଘାଟରେ ଜାରି ହେବ ୧୪୪ ଧାରା

ଯାଜପୁର,ଏନ୍ଏନ୍ଏସ୍: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସବୁ ପର୍ବ ପର୍ବାଣୀ ଓ ମେଳା ମହୋତ୍ସବକୁ ଫିକା କରିବାକୁ ଯାଉଛି। ଏବର୍ଷ ବି ହେବନି ପ୍ରସିଦ୍ଧ ବାରୁଣୀ ମେଳା। ଯାଜପୁର ଜିଲ୍ଲାରେ ପ୍ରତିବର୍ଷ ବହୁ ଆଡମ୍ବରରେ ବୈତରଣୀ ନଦୀକୂଳରେ ଦଶ୍ୱାଶମେଧ ଘାଟରେ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ।

ଆସନ୍ତା କାଲି ହେବାକୁ ଥିବା ଏହି ପ୍ରସିଦ୍ଧ ମେଳାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜନସାମଗମ ହୋଇଥାଏ। ମାତ୍ର କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ମେଳା ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବ ବର୍ଷ ମଧ୍ୟ କରୋନା ମହାମାରୀର ସମାନ ସ୍ଥିତି ଯୋଗୁଁ ହୋଇପାରିନଥିଲା ବାରୁଣୀ ମେଳା।

ତେବେ ଆସନ୍ତା କାଲି ଦଶ୍ୱାଶମେଧ ଘାଟ ଓ ସଲଗ୍ନ ଅଞ୍ଚଳରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ କରୋନା କହର ମଧ୍ୟରେ ଘରେ ରହିବାକୁ ଓ ଅଯଥାରେ ବାହାରକୁ ନବାହାରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।