ଯାଯାବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଲେ ଡ. ସୁସ୍ମିତା

ବରଗଡ,ଏନ୍ଏନ୍ଏସ୍ : ଲକଡାଉନ ସମୟରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ଠିକ ଭାବରେ ଖାଇବାକୁ ପାଉନାହିଁ ତ ଆଉ କିଏ ସାମାନ୍ୟ ଚିକିତ୍ସା ସେବା ମଧ୍ୟ ପାଇପାରୁନାହିଁ। ଏପରିସ୍ଥିତିରେ ବରଗଡ଼ର ଡାକ୍ତର ସୁସ୍ମିତା ଦାଶ ଲକଡାଉନରେ ଫସି ରହିଥିବା ଯାଯାବର ପରିବାରର ସଦସ୍ୟମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଲକଡାଉନ ଯୋଗୁଁ ବରଗଡ଼ ରେଲୱେ ଷ୍ଟେସନ ଅଞ୍ଚଳରେ ଉତ୍ତର ପ୍ରଦେଶର କିଛି ଯାଯାବର ଫସି ରହିଛନ୍ତି। ତେବେ ସେମାନେ ଠିକ ଭାବରେ ଖାଇବାକୁ ପାଇପାରୁ ନ ଥିଲେ। ସେହିପରି ଦୋକାନ ବଜାର ବନ୍ଦ ଯୋଗୁଁ ପିନ୍ଧିଥିବା କପଡା ଚାରି ପାଞ୍ଚ ଦିନରେ ଥରେ ସଫା କରୁଥିଲେ। ଯାହାକୁ ନେଇ ସୋମବାର ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଏମଡି ଅଲିମ, ଏମଡି ନିଜାମଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯାଯାବରଙ୍କ ପାଖରେ ପହଂଚି କିଛି ଖାଦ୍ୟ ଯୋଗାଇବା ସହ ପିନ୍ଧିବାକୁ ପ୍ୟାଣ୍ଟ, ସାର୍ଟ, ଶାଢ଼ି ଆଦି ପ୍ରଦାନ କରିଥିଲେ। ଏ ସମୟରେ ସେମାନେ କିଛି ଯାଯାବର ଅସୁସ୍ଥ ଥିବା ସୂଚନା ପାଇ ଡାକ୍ତର ସୁସ୍ମିତା ଦାଶଙ୍କୁ ଯୋଗାଯୋଗ କରିଥିଲେ ।

ଯାହାକୁ ନେଇ ମଙ୍ଗଳବାର ୩ଜଣ ଶିଶୁ, ୨ ଜଣ ମହିଳା ଏବଂ ଜଣେ ପୁରଷଙ୍କୁ ସ୍ୱେଚ୍ଛାସେବୀମାନେ ଅଟୋରେ ଡାକ୍ତର ଦାଶଙ୍କ ପାଖକୁ ଆଣିଥିଲେ। ଡାକ୍ତର ଦାଶ ଉକ୍ତ ଯାଯାବରଙ୍କ ମାଗଣାରେ ଚିକିତ୍ସା କରିବା ସହ ଆବଶ୍ୟକ ସ୍ଥଳେ ଔଷଧ ପ୍ରଦାନ କରିଥିଲେ। ସେହିପରି ଛୋଟ ଛୋଟ ଶିଶୁମାନଙ୍କୁ ସେରଲାକ ଆଦି ପ୍ରଦାନ କରି ଥିବା ବେଳେ ଲକଡାଉନ୍ ସମୟରେ ଡାକ୍ତର ଦାଶ ଏବଂ ସଂପୃକ୍ତ ସ୍ୱେଚ୍ଛାସେବୀମାନଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।