ଅଦିନିଆ ବର୍ଷାରେ ଭିଜିଲା ଧାନ : ଚିନ୍ତାରେ ଚାଷୀ

ବରଗଡ,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଳାରେ ବର୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ମଙ୍ଗଲବାର ଅଦିନିଆ ବର୍ଷା ଯୋଗୁଁ ହଜାର ହଜାର ବସ୍ତା ଧାନ ଭିଜିଯାଇଛି । ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡିଥିବା ସହ ଅସାଧୁ ବ୍ୟବସାୟୀ ତଥା ମିଲର୍ସଙ୍କ ମଧ୍ୟସ୍ଥି ଏବେ ସେସବୁ ଧାନକୁ ଅଣ୍ଡରରେଟରେ କିଣିବାକୁ ମସୁଧା କରିବା ଆରମ୍ଭ କରିଦେଇଛନ୍ତି ।
ବରଗଡ଼ ଜିଲ୍ଳାରେ ରବି ଧାନ ସଂଗ୍ରହ ଚାଲିଥିବା ବେଳେ ମଙ୍ଗଲବାର ଅଦିନିଆ ବର୍ଷା ଯୋଗୁଁ ଚାଷୀର ନାହିଁ ନ ଥିବା କ୍ଷତି ହୋଇଛି । ବିଭିନ୍ନ ମାର୍କେଟୟାର୍ଡ ତଥା କ୍ରୟ କେନ୍ଦ୍ରମାନଙ୍କରେ ଖୋଲା ଆକାଶରେ ପଡି ରହି ହଜାର ହଜାର ବସ୍ତା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ସେହିପରି କେତେକ ସ୍ଥଳରେ ଚାଷୀର ଖଳା ତଥା ବିଲରେ ପେଟା ପଡିଥିବା ଧାନ ମଧ୍ୟ ବର୍ଷାରେ ଭିଜି ଯାଇଛି । ଖୋଲା ଆକାଶରେ ଧାନ ବିକ୍ରୀ ପାଇଁ ମଣ୍ଡିରେ ପଡି ରହିଥିବା ବେଳେ ବିଭିନ୍ନ ମାର୍କେଟ ୟାର୍ଡରେ ବର୍ଷାରେ ଚାଷୀଙ୍କ ଧାନ ରକ୍ଷା କରିବା ପାଇଁ ସେଭଳି କୌଣସି ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି । ତେବେ କେତେକ ମାର୍କେଟ ୟାର୍ଡ ତରଫରୁ ଧାନ ବସ୍ତା ଘୋଡାଇ ରଖିବାକୁ ଦିଆଯାଇଥିବା ତାରପୋଲିନ ନିମ୍ନମାନର ତଥା ବହୁ ପୁରୁଣା ହୋଇଥିବାରୁ ସେଗୁଡିକ ଫାଟି ଧାନଗୁଡିକ ଭିଜି ଯାଇଥିବା ପରିଲକ୍ଷିତ ହୋଇଛି । ଏପରି ଏକ ଅଭିଯୋଗ ଆସିଛି ମନାପଡା କ୍ରୟକେନ୍ଦ୍ରରୁ । ବର୍ଷା ପରେ ମାର୍କେଟ ୟାର୍ଡଗୁଡିକର ସ୍ଥିତି ପରିଖିବାକୁ ଯିବା ସମୟରେ ମନାପଡା କ୍ରୟ କେନ୍ଦ୍ରରେ ଖୋଲା ଆକାଶରେ ଏକ ପଡିଆରେ ହଜାର ହଜାର ବସ୍ତା ଧାନ ପଡି ରହିଥିଲା । ସେଠାରେ ନାଁ କୁ ମାତ୍ର ତାରପୋଲିନ ଯୋଗାଇ ଦିଆଯାଇଥିବା ବେଳେ ଚାଷୀମାନେ ନିଜ ଧାନ ନିଜେ ତାରପୋଲିନ କିଣି ବର୍ଷା ଦାଉରୁ ରକ୍ଷା କରିଥିବା ନେଇ ସୂଚନା ଦେଇଥିଲେ । ତେବେ ମନାପଡା କ୍ରୟ କେନ୍ଦ୍ରରେ ପ୍ରାୟ ୧୦ ହଜାର ରୁ ଉଦ୍ଧ୍ୱର୍ ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ଧାନ ଉଠାଣ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଯଦି ପ୍ରଶାସନ ତରଫରୁ ମିଲର୍ସ ମାନଙ୍କୁ ଧାନକ୍ରୟ ପାଇଁ ଅନୁମତି ଦିଆଯାଇଥାନ୍ତା ତେବେ ଏତେ ପରିମାଣର ଧାନ ବର୍ଷାରେ ଭିଜି ନ ଥାନ୍ତା ବୋଲି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏପରି ସ୍ଥିତି ଜିଲ୍ଳାର ଜଳସେଚିତ ଅଚଂଳରୁ ଆରମ୍ଭ କରି ଅଣଜଳସେଚିତ ଅଚଂଳରେ ରହିଥିବା ସେଠାକାର ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ତମାନ ବର୍ଷାରେ ଭିଜିଥିବା ଧାନଗୁଡିକ ନେଇ ଚାଷୀ ଚିନ୍ତିତ ହୋଇପଡିଥିବା ବେଳେ ଅସାଧୁ ବ୍ୟବସାୟୀ ତଥା ମିଲର୍ସମାନଙ୍କ ଏଜେଣ୍ଟ ଚାଷୀର ଧାନ ଅଣ୍ଡରରେଟରେ କିଣିବାକୁ ମସୁଧା ଆରମ୍ଭ କରିଦେଇଛି । ଯାହାକୁ ନେଇ ଚଳିତ ବର୍ଷ ଚାଷୀ ପୁଣି ଥରେ ନିଜର କଷ୍ଟୋପାର୍ଜିତ ଧାନକୁ ଖୁବ କମ୍ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେବାର ଆଶଙ୍କା ପ୍ରକାଶ ପାଇଛି ।

ଜିଲ୍ଳା ପ୍ରଶାସନ ତରଫରୁ ମାର୍କେଟୟାର୍ଡରେ ଚାଷୀଙ୍କ ଧାନ ସୁରକ୍ଷିତ ରଖାଯିବା ସହ ତାକୁ ଉଠାଇବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି ଏତେ ପରିମାଣର ଧାନ ଭିଜି ନଷ୍ଟ ହୋଇଛି ବୋଲି ଅଭିଯୋଗ ହୋଇଛି । ତେବେ ଆଗାମୀ ଦିନରେ ଧାନ କ୍ରୟ ସଂସ୍ଥାଠାରୁ ଆରମ୍ଭ କରି ମିଲର୍ସ ଉକ୍ତ ଭିଜି ଯାଇଥିବା ଧାନକୁ ନାନା ବାହାନ ଦେଖାଇ ଅଣ୍ଡରରେଟରେ କିଣିବାକୁ ଥିବା ବେଳେ ଚାଷୀ ପୁଣି ଥରେ କ୍ଷତିର ସମ୍ମୁଖୀନ ହେବା ନିଶ୍ଚିତ ହୋଇପଡିଛି । ଏପରିସ୍ଥିତିରେ ଚାଷୀର ଧାନକୁ ଉଚିତ ମୂଲ୍ୟରେ କିଣି ଚାଷୀକୁ ତାର ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାକୁ ବିଭିନ୍ନ ମହଳରେ ଦାବି ହେଉଛି ।