ବିକ୍ରୀ ଅପେକ୍ଷାରେ ୧୫ ହଜାର କ୍ୱିଣ୍ଟାଲ ଧାନ: ବିଭାଗ ନିଦାବିଷ୍ଣୁ

ଅମ୍ବାଭୋନା ବ୍ଲକ ଚାଷୀ ଆନ୍ଦୋଳନ ଚତୁର୍ଥ ଦିନରେ

ଅମ୍ବାଭୋନା, ଏନଏନଏସ : ବରଗଡ଼ ଜିଲ୍ଲା ଅମ୍ବାଭୋନା  ବ୍ଲକରେ ଚଳିତ ଖରିଫ ଋତୁରେ ଧାନ କିଣାବିକାରେ ହୋଇଥିବା ଅନିୟମିତତା ଓ  ଦୁର୍ନୀତି ପ୍ରତିବାଦରେ ଚାଷୀମାନେ ଦୀର୍ଘ ୪ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଟୋକନ, ଟ୍ୟାଗ ଏବଂ ଟାରଗେଟ ଆଳରେ ଚାଷୀମାନଙ୍କୁ ବୋକା ବନାଇ ମିଲର୍ସ , ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ମଧ୍ୟରେ ଚାଲିତିବା ଅସାଧୁ  ମେଣ୍ଟ ଯୋଗୁଁ ଚାଷୀମାନଙ୍କ ଅମଳ ଧାନ ଖଳା ତଥା ଘରେ ଗଚ୍ଛିତ ହୋଇରହିଛି । ଅଦ୍ୟାବଧି ଅମ୍ବାଭୋନା ବ୍ଲକରେ ୩୭୩ ଜଣ ଚାଷୀଙ୍କ ଅମଳଧାନ ପାଖାପାଖି ୧୫ ହଜାର  କ୍ୱିଣ୍ଟାଲ  ଧାନ ବିକ୍ରୀ ଅପେକ୍ଷାରେ ରହିଛି । ମାତ୍ର ଏ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହାିଁ । ଜାନୁୟାରୀ ୧୫ ତାରିଖରୁ ଧାନ ମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଅଦ୍ୟାବଧି ଟୋକନ ଜେନେରେଟ ହେଉଛି । ମାତ୍ର ବିଭାଗୀୟ କତୃପକ୍ଷ ଅନ୍ୟ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ଓହରିଯାଉଥିବା ନେଇ ଚାଷୀମହଳରେ ଅସନ୍ତୋଷ ଦେଖାଦେଇଛି ।

ଗୁରୁବାର ଦିନ ସୁଦ୍ଧା ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟରେ ପାଖାପାଖି ୫ ହଜାର ବସ୍ତା ଧାନ ରଖି ଚାଷୀମାନେ ଅଫିସକୁ ଅଚଳ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ବରଗଡ଼  ଜିଲ୍ଲା ପ୍ରଶାସନ ଚାଷୀମାନଙ୍କ ଅମଳ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖା ଯାଇଥିବା ଅବ୍ୟବସ୍ଥା ନେଇ କୌଣସି ବିଧିବଦ୍ଧ ନିଷ୍ପତି ନେଇପାରିନାହାନ୍ତି । ଫଳରେ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି ।