ତୃତୀୟ ଦିନରେ ଚାଷୀ ଆନ୍ଦୋଳନ : ଅମ୍ବାଭୋନା ବ୍ଲକ୍ କାର୍ଯ୍ୟାଳୟ ପାଲଟିଲା ଧାନମଣ୍ଡି

ଅମ୍ବାଭୋନା,ଏନ୍ଏନ୍ଏସ୍: ଅମ୍ବାଭୋନା ବ୍ଲକରେ ଚାଲିଥିବା ଚାଷୀ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଚାଷୀମାନେ ଧାନ ଗଦା କରି ବ୍ଲକ୍ କାର୍ଯ୍ୟାଳୟକୁ ଏକପ୍ରକାର ମାର୍କେଟ ୟାର୍ଡରେ ପରିଣତ କରିଦେଇଛନ୍ତି । ସୂଚନା ଯୋଗ୍ୟ, ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ର୍ରିୟାରେ ଦେଖାଦେଇଥିବା ଅନିୟମିତା ଯୋଗୁଁ ଅମ୍ବାଭୋନା ବ୍ଲକର ବହୁ ଚାଷୀ ଧାନ ବିକ୍ରି କରିପାରିନାହାଁନ୍ତି। ଚାଷୀମାନଙ୍କ ପାଖରେ ଟୋକନ ଥିବା ସତ୍ୱେ ୯୦ ଜଣ ଚାଷୀଙ୍କ ଅବଧି ସରିଯାଇଥିବା ଯୋଗୁଁ ସେମାନେ ଧାନ ବିକ୍ରି କରିପାରିନାହାନ୍ତି । ସେହିପରି ତିନି ମାସର ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ଗତ ଜାନୁୟାରୀ ୧୫ ତାରିଖରୁ ଧାନ ମଣ୍ଡିକୁ ତରବରିଆ ଭାବରେ ବନ୍ଦ କରି ଦିଆଯାଇଛି। ଫଳରେ ଯେଉଁ ଚାଷୀଙ୍କ ଟୋକନ ଅଛି ସେମାନେ ମଧ୍ୟ ଧାନ ଏଣ୍ଟ୍ରି କରିପାରୁନାହାଁନ୍ତି। ଫଳରେ ଚାଷୀ ଅସନ୍ତୋଷ ଦେଖାଦେବା ସହ ଗତ ତିନି ଦିନ ଧରି ଆନ୍ଦୋଳନ ଜାରି ରହିଛି । ଚାଷୀମାନେ ପ୍ରଥମେ ଭୁକ୍ତାରେ ଧାନ ରଖି ରାସ୍ତାରୋକ କରିଥିବା ବେଳେ ଗତ ଦୁଇ ଦିନ ହେବ ଅମ୍ବାଭୋନା ବ୍ଳକ ଏବଂ ତହସିଲ କାର୍ଯ୍ୟାଳୟକୁ ଅଚଳ କରିଦେଇଛନ୍ତି । ତହସିଲ କାର୍ଯ୍ୟାଳୟରେ ତାଲା ପକାଯିବା ସହ ବ୍ଲକ୍ କାର୍ଯ୍ୟାଳୟରେ ଧାନ ଗଦା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ବ୍ଲକ କାର୍ଯ୍ୟାଳୟ ଏକ ପ୍ରକାର ମଣ୍ଡିରେ ପରିଣତ ହୋଇଯାଇଛି ।

ବୁଧବାର ଆନ୍ଦୋନଳରତ ଚାଷୀମାନଙ୍କ ସହ ଅମ୍ବାଭୋନା ବିଡିଓ ଆଲଫ୍ରାନସ ବିଲୁଙ୍ଗ, ତହସିଲଦାର ସୀତାରାମ ଭୋଇ, ଜିଲ୍ଳା ଯୋଗାଣ ଅଧିକାରୀ ଦାଶରଥୀ ସୋରେନ, ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୁ ପ୍ରଧାନ, ଆରଏମସି ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ ପ୍ରମୁଖ ଆଲୋଚନା କରିଥିବା ବେଳେ ତାହା ବିଫଳ ହୋଇଛି । ଲାଲବାହାଦୁର ଶାସ୍ତ୍ରୀ କୃଷକ ସଂଗଠନର ସଭାପତି ଠାକୁରରାମ ପଟେଲ, ସଂପାଦକ ଶଙ୍କର ଖମାରୀ, ଜେହେରୁ ପ୍ରଧାନ, ଶଶୀଭୂଷଣ ପ୍ରଧାନ, ଗୁନାରୁ ପ୍ରଧାନ, ହୃଷିକେଶ ପ୍ରଧାନ, ଡୋଲାମଣି ସା, ଇମାନୁଏଲ ରଣବୀର, ନିରଞ୍ଜନ ପଟେଲ, ରାଜେନ୍ଦ୍ର ଦେହେରୀ, ଦୟାସାଗର ପ୍ରଧାନ ସମେତ ବହୁ ଚାଷୀ ଶୀତକାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।