ବରଗଡ,.ଏନ୍ଏନ୍ଏସ୍ : ଏଇ ଘରଟିରେ ଜନମ ମୋର । ଝାଟିମାଟିର ଏ , ନଡା ଛପର ……ଛୋଟ ବେଲେ ସ୍କୁଲରେ ପଢ଼ିଥିବା ପାଠ ର ବାସ୍ତବତା ଶୁଣିବାକୁ ମିଳିଥିଲା କୁନି ଝିଅ ଟ୍ୱିଙ୍କିଲଙ୍କ ମୁହଁରୁ । ନିଜ ଘର ତଥା ପଢ଼ା ବହି ସହିତ ସମତୁଳ୍ୟ ନିଜ ଘରକୁ ନେଇ ଏପରି କେଇ ପଦ ଗୁଣଗୁଣ ହୋଇ ଗାଉଥିଲା ଟ୍ୱିଙ୍କିଲ । ବରଗଡ଼ ସଦର ବ୍ଳକ ବେହେରା ଗ୍ରାମର ଦିନ ମଜୁରିଆ ସଦାନନ୍ଦ ବଗର୍ତିଙ୍କ ଝିଅ ଟ୍ୱିଙ୍କିଲ । ପରିବାର କହିଲେ ପତ୍ନୀ ଶିବାନୀ , ଦଶ ବର୍ଷର ପୁଅ ହିମାଂଶୁ ଏବଂ ସାଢ଼େ ତିନି ବର୍ଷର ଝିଅ ଟ୍ୱିଙ୍କିଲ । ଜମି ବାଡି କହିଲେ କିଛି ନାହିଁ । ନିଜର ସଂପର୍ତି କହିଲେ ଭଙ୍ଗାଦଦରା ଚାଳ ଘରଟିଏ । ଗାଁ’ରେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଭଙ୍ଗାଦଦରା ଚାଳ ଘରେ ଜୀବନ ଅତିବାହିତ କରିଥାଏ । ସେହି ଚାଲ ଘରେ ଦିନରେ ସୂର୍ଯ୍ୟ ଏବଂ ରାତିରେ ଚନ୍ଦ୍ର ଜଳ ଜଳ ହୋଇ ଦୃଶ୍ୟମାନ ହେଉଥିବା ବେଳେ ନାଁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜୁ ପକ୍କା ଘରଟିଏ ମିଳିପାରିଛି ।
ଫଳରେ ଭାଗ୍ୟକୁ ଆଦରି ଦିନ ମଜୁରିଆ ସଦାନନ୍ଦ ଖରା, ବର୍ଷା, ଶୀତରେ ପରିବାର ସହିତ ପଡିରହିଛି ଭଙ୍ଗାଦଦରା ଚାଳ ଘରେ । ଗତ ସପ୍ତାହରେ କାଳବୈଶାଖୀ ପ୍ରଭାବରେ ଝଡ ବର୍ଷା ଯୋଗୁଁ ଅନେକ ସ୍ଥାନରୁ ନଡା ଛପର ଉଡିଯାଇଛି । ୨୦୨୪ ସୁଦ୍ଧା ଦେଶରେ ଆଉ ଚାଳ ଘର ରହିବ ନାହିଁ । ସମସ୍ତଙ୍କୁ ପକ୍କା ଘର ଯୋଗାଇଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତେ ଯେପରି ବିଦ୍ରୁପ କରୁଛି ବରଗଡ଼ ସଦାନନ୍ଦଙ୍କ ଚାଳ ଘର। ଗରିବ ସଦାନନ୍ଦ ସରକାରଙ୍କ ପକ୍କା ଘର ଯୋଜନାରେ ସାମିଲ ହେବା ଏକ ଦୁଃସ୍ୱପ୍ନ ପାଲଟିଛି। ନା ସେ ସାମିଲ ହୋଇପାରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନା ମିଳିପାରୁଛି ବିଜୁ ପକ୍କା ଘର ଖଣ୍ଡିଏ । ମାଟି ଝାଟିର ଚାଳ ଘରେ ବର୍ଷ ବର୍ଷ ଧରି ଖରାବର୍ଷା ଶୀତରେ ରହିଆସୁଛି ବେହେରା ଗ୍ରାମର ଦିନମଜୁରିଆ ସଦାନନ୍ଦ। ଅପରପକ୍ଷେ ବର୍ଷ ପରେ ବର୍ଷ ନିର୍ବାଚନ ହେଉଛି ଏବଂ ତା ଘର ଦାଣ୍ଡକୁ ଭୋଟ ଭିକ୍ଷା କରି ଆସୁଛନ୍ତି ଜଣେ ପରେ ଜଣେ ନେତା । ହେଲେ ସଦାନନ୍ଦଙ୍କ ଚାଳ ଘର ଉପରେ ଆଜି ଯାଏଁ କାହାରି ନଜର ନ ପଡିବା ଦୁର୍ଭାଗ୍ୟଜନକ ନୁହେଁ କି ।